ଅଶାନ୍ତ କୋଲକାତା: ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ ‘ନବାନ୍ନ ଅଭିଯାନ’

ବିକ୍ଷୋଭକାରୀଙ୍କୁ ଲାଠି ଚାର୍ଜ, ଲୁହବୁହା ଗ୍ୟାସ ପ୍ରୟୋଗ

କୋଲକାତା, ୨୭/୮: ଦିନକୁ ଦିନ ଅଶାନ୍ତ ହେବାରେ କୋଲକାତା। ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି। ଡାକ୍ତରୀ ଛାତ୍ରୀ ମୌମିତା ଦେବନାଥଙ୍କୁ ନ୍ୟାୟ ଦାବିରେ କୋଲକାତାରେ ଉଗ୍ର ରୂପ ନେଉଛି ବିକ୍ଷୋଭ ପ୍ରଦର୍ଶନ। ଆଜି ଟ୍ରେନି ଡାକ୍ତରଙ୍କୁ ନ୍ୟାୟ ଦାବିରେ କୋଲକାତାର ରାଜ୍ୟ ସଚିବାଳୟ ନବାନ୍ନ ଘେରାଉ କରିବା ପାଇଁ ଆଗେଇ ଆସିଛି ଛାତ୍ର ସଂଗଠନ।

ଅଗଷ୍ଟ ୯ ତାରିଖରେ କୋଲକାତାର ଆରଜି କର ମେଡିକାଲ କଲେଜରେ ୩୧ ବର୍ଷୀୟା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ନ୍ୟାୟ ଦାବିରେ ୩୦ ହଜାରରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ଏହି ସଂଗଠନ ନବାନ୍ନ ଅଭିମୁଖେ ଯାତ୍ରା କରିଛନ୍ତି। ପଶ୍ଚିମବଙ୍ଗ ଛାତ୍ର ସମାଜ ନାମକ ଛାତ୍ର ସଂଗଠନ ପକ୍ଷରୁ ରାଜ୍ୟ ସଚିବାଳୟ ଅଭିମୁଖେ ଚାଲିଥିବା ‘ନବାନ୍ନ ଅଭିଯାନ’ ଶୋଭାଯାତ୍ରା ମଧ୍ୟରେ ପଶ୍ଚିମବଙ୍ଗ ପୁଲିସ ହାୱଡ଼ା ବ୍ରିଜରେ ଏକତ୍ରିତ ବିକ୍ଷୋଭକାରୀଙ୍କୁ ହଟାଇବା ପାଇଁ ପାଣି ମାଡ ଓ ଲାଠି ଚାର୍ଜ ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି।

ନବାନ୍ନ ହେଉଛି ରାଜ୍ୟ ସଚିବାଳୟ, ଯେଉଁଠାରୁ ପଶ୍ଚିମବଙ୍ଗ ସରକାର କାର୍ଯ୍ୟ କରନ୍ତି। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବରିଷ୍ଠ ମନ୍ତ୍ରୀ ଓ ଅଧିକାରୀଙ୍କ କାର୍ଯ୍ୟାଳୟ ରହିଛି। ଏହା ପୂର୍ବରୁ ମଙ୍ଗଳବାର ୨୭ ତାରିଖ ଠାରୁ ‘ନବାନ୍ନ ଅଭିଯାନ’ ପ୍ରତିବାଦ ଶୋଭାଯାତ୍ରା ଆରମ୍ଭ ହେବା ପୂର୍ବରୁ କୋଲକାତାର କଲେଜ ଛକ ନିକଟରେ ପ୍ରବଳ ଜନସମାଗମ ହୋଇଥିଲା।

ଅପରାହ୍ନ ୨ଟାରୁ ଆରମ୍ଭ ହୋଇଥିବା ଶୋଭାଯାତ୍ରାରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ସମଗ୍ର କୋଲକାତାରେ ୬ ହଜାରରୁ ଅଧିକ ପୁଲିସ ମୁତୟନ କରାଯାଇଥିବା ବେଳେ ହିଂସା ଆଶଙ୍କା କରି ସଚିବାଳୟକୁ ଯାଉଥିବା ପ୍ରମୁଖ ରାସ୍ତାଗୁଡ଼ିକ ପାଇଁ ୧୯ ପଏଣ୍ଟ ଚିହ୍ନଟ କରି ବ୍ୟାରିକେଡ୍ ଲଗାଯାଇଛି। ପ୍ରାୟ ୨୬ ଜଣ ଡେପୁଟି କମିଶନରଙ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି।

ପଦଯାତ୍ରା ପୂର୍ବରୁ ବିକ୍ଷୋଭକାରୀମାନେ ପଥର ଫିଙ୍ଗିବାକୁ ଏବଂ ବ୍ୟାରିକେଡ୍ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ଯାହାକୁ ଅଟକାଇବାକୁ ଯାଇ ତୁରନ୍ତ ଆକ୍ସନ ନେଇଛି ପୋଲିସ। ନବାନ୍ନ ଅଭିଯାନ ଡାକରାକୁ ନେଇ ତୃଣମୂଳ କଂଗ୍ରେସ ବିଜେପିକୁ ଟାର୍ଗେଟ କରିଛି। ତେବେ ପୁଲିସ ଆନ୍ଦୋଳନ ପାଇଁ ଅନୁମତି ଦେବାକୁ ମନା କରିଦେଇଥିବା ବେଳେ ପଶ୍ଚିମବଙ୍ଗ ଜୁନିୟର ଡାକ୍ତର ମୋର୍ଚ୍ଚା ଛାତ୍ର ରାଲିକୁ ସେମାନେ ଡାକିନାହାନ୍ତି ଏବଂ ସେମାନେ ପଦଯାତ୍ରାରେ ଅଂଶଗ୍ରହଣ କରିବେ ନାହିଁ ବୋଲି ବିବୃତ୍ତିରେ କହିଥିଲା।