‘ପୋର୍ଟ ବ୍ଲେୟାର’ ନାମ ବଦଳି ହେଲା ‘ଶ୍ରୀ ବିଜୟ ପୁରମ୍’

ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ 'ପୋର୍ଟ ବ୍ଲେୟାର'ର ନାମ ପରିବର୍ତ୍ତନ କରାଯାଇ 'ଶ୍ରୀ ବିଜୟ ପୁରମ୍' ରଖାଯାଇଛି।

ଉପନିବେଶବାଦୀ ପରମ୍ପରାରୁ ମୁକ୍ତ କରିବା ପାଇଁ ଏହି ନିଷ୍ପତ୍ତି: ଅମିତ ଶାହ

ନୂଆଦିଲ୍ଲୀ, ୧୩/୦୯: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ‘ପୋର୍ଟ ବ୍ଲେୟାର’ର ନାମ ପରିବର୍ତ୍ତନ କରାଯାଇ ‘ଶ୍ରୀ ବିଜୟ ପୁରମ୍’ ରଖାଯାଇଛି। ଏହା ଦ୍ଵାରା ଉପନିବେଶବାଦୀ ଛାପରୁ ମୁକ୍ତ ହେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ ସାକାର ହେଲା ବୋଲି କହିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ।

ଗୃହ ମନ୍ତ୍ରୀ ଅମିତ ଶାହ ଟ୍ୱିଟ୍ କରି କହିଛନ୍ତି ଯେ, “ଭାରତର ସ୍ୱାଧୀନତା ସଂଗ୍ରାମ ଏବଂ ଇତିହାସରେ ‘ଶ୍ରୀ ବିଜୟା ପୁରମ’ର ଏକ ଅତୁଳନୀୟ ଭୂମିକା ରହିଛି। ସ୍ୱାଧୀନତା ସଂଗ୍ରାମରେ ହାସଲ ହୋଇଥିବା ବିଜୟର ପ୍ରତୀକ ଭାବେ ଏହି ନାମ ରଖାଯାଇଛି। ଆମ ସ୍ୱାଧୀନତା ସଂଗ୍ରାମ ଓ ଇତିହାସରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଏକ ଅତୁଳନୀୟ ସ୍ଥାନ ରହିଛି। ଏକଦା ଚୋଳ ସାମ୍ରାଜ୍ୟର ନୌସେନା ଘାଟି ଭାବେ କାର୍ଯ୍ୟ କରୁଥିବା ଏହି ଦ୍ୱୀପାଞ୍ଚଳ ଆଜି ଆମର ରଣନୈତିକ ଏବଂ ବିକାଶ ଆକାଂକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ଆଧାର ହେବାକୁ ଯାଉଛି। ଏହା ହେଉଛି ସେହି ସ୍ଥାନ ଯେଉଁଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରଥମେ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯାଇଥିଲା ଏବଂ ଏଠାରେ ଏକ ସେଲୁଲାର ଜେଲ ମଧ୍ୟ ନିର୍ମାଣ କରାଯାଇଥିଲା, ଯେଉଁଠାରେ ରହି ବୀର ସାବରକର ଓ ଅନ୍ୟାନ୍ୟ ସ୍ୱାଧୀନତା ସଂଗ୍ରାମୀମାନେ ଦେଶର ସ୍ୱାଧୀନତା ହାସଲ ପାଇଁ ସଂଗ୍ରାମ କରୁଥିଲେ।”

ସୂଚନା ମୁତାବକ, ଇଷ୍ଟ ଇଣ୍ଡିଆ କମ୍ପାନୀର ବ୍ରିଟିଶ ଔପନିବେଶିକ ନୌସେନା ଅଧିକାରୀ କ୍ୟାପଟେନ ଆର୍କିବାଲ୍ଡ ବ୍ଲେୟାରଙ୍କ ନାମରେ ପୂର୍ବରୁ ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜର ରାଜଧାନୀ ‘ପୋର୍ଟ ବ୍ଲେୟାର’ର ନାମ ରଖା ଯାଇଥିଲା। ୨୦୧୮ରେ ପ୍ରଧାନମନ୍ତ୍ରୀ ମୋଦୀ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ତିନୋଟି ଦ୍ୱୀପ ଯଥାକ୍ରମେ ‘ରୋସ ଦ୍ୱୀପ’କୁ ‘ନେତାଜୀ ସୁଭାଷ ଚନ୍ଦ୍ର ବୋଷ’ ଦ୍ୱୀପ, ‘ନୀଲ୍ ଦ୍ୱୀପ’କୁ ‘ସହୀଦ ଦ୍ୱୀପ’ ଏବଂ ‘ହାଭେଲକ୍ ଦ୍ୱୀପ’କୁ ‘ସ୍ୱରାଜ ଦ୍ୱୀପ’ ନାମରେ ନାମିତ କରାଯାଇଥିଲା।