ଆସନ୍ତାକାଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ବର ବିମାନବନ୍ଦରରୁ ସିଧା ଯିବେ ଗାଡକଣ ଶବର ସାହି

ଭୁବନେଶ୍ବର, ୧୬/୦୯: ଆସନ୍ତାକାଲି ସୁଭଦ୍ରା ଯୋଜନା ସହ ରାଜ୍ୟକୁ ଅନେକ ପ୍ରକଳ୍ପ ମଧ୍ୟ ଭେଟି ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶା ଗସ୍ତ କରି ବିଭିନ୍ନ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଦିନ ୧୦ଟା ୫୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ସିଧା ସଳଖ ଗାଡକଣ ଶବର ସାହିକୁ ଯିବେ। ସେଠାରେ ପ୍ରଧାନମନ୍ତ୍ରୀ ପିଏମଏୱାଇ-ସହରାଞ୍ଚଳ ହିତାଧିକାରୀଙ୍କ ସହ ଅଧଘଣ୍ଟା ଧରି ଆଲୋଚନା କରିବେ। ଏହାପରେ ଜନତା ମଇଦାନକୁ ଯାଇ ମହିଳା ହିତାଧିକାରୀଙ୍କ ପାଇଁ ସୁଭଦ୍ରା ଯୋଜନାର ଲୋକାର୍ପଣ କରିବେ। ଅପରାହ୍ନ ୧୨ଟାରୁ ୧ଟା ମଧ୍ୟରେ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପ ଓ ଯୋଜନାର ଶିଳାନ୍ୟାସ କରିବେ। କାର୍ଯ୍ୟକ୍ରମ ପରେ ଭାରତୀୟ ବାୟୁସେନା ବିମାନ ଯୋଗେ ଦିଲ୍ଲୀ ୩ଟା ୩୫ରେ ଦିଲ୍ଲୀରେ ଯାଇ ପହଞ୍ଚିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜଧାନୀରେ ସକାଳ ସାଢ଼େ ୭ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଟ୍ରାଫିକ୍ କଟକଣା ଲାଗୁ କରାଯିବ। ଏଥି ସହ ରାଜଧାନୀର ସମସ୍ତ ସ୍କୁଲ, କଲେଜ ବନ୍ଦ ରହିବ ଏବଂ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ସରକାରୀ କାର୍ଯ୍ୟାଳୟ ତଥା ରାଜସ୍ୱ ଏବଂ ମ୍ୟାଜିଷ୍ଟେରିଆଲ କୋର୍ଟ(କାର୍ଯ୍ୟନିର୍ବାହୀ) ବନ୍ଦ ରହିବ। ସେହିପରି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଜନତା ମଇଦାନକୁ ‘ନୋ ଡ୍ରୋନ୍ ଜୋନ୍ ଭାବେ ଘୋଷଣା କରାଯାଇଛି।