ଡାକ୍ତରଙ୍କ ସହ ଆଲୋଚନା ପାଇଁ ମମତା ବାନାର୍ଜୀଙ୍କ ପଞ୍ଚମ ତଥା ଅନ୍ତିମ ନିମନ୍ତ୍ରଣ

ଡାକ୍ତରଙ୍କ ଯୋଗ ଦେବା ନେଇ ଏବେ ବି ଅସ୍ପଷ୍ଟ

ନୂଆଦିଲ୍ଲୀ, ୧୬/୦୯: କୋଲକାତା ଜୁନିଅର ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟାକୁ ନେଇ ନ୍ୟାୟ ପାଇବା ଆଶାରେ ଚାଲିଥିବା ଡାକ୍ତରମାନଙ୍କ ଆନ୍ଦୋଳନରେ ଆଜି ପୁଣି ଆଲୋଚନା ପାଇଁ ଆନ୍ଦୋଳନରତ ଡାକ୍ତରଙ୍କୁ ଡାକିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କୋଲକାତାସ୍ଥିତ ତାଙ୍କ ବାସଭବନରେ ଆଲୋଚନା ପାଇଁ ପଞ୍ଚମ ତଥା ଅନ୍ତିମ ଥର ପାଇଁ ନିମନ୍ତ୍ରଣ ପଠାଇଛନ୍ତି। ଅପରାହ୍ନ ୫ଟାରେ ଏକ ବୈଠକ ପାଇଁ ଡାକ୍ତରମାନଙ୍କୁ ଡକାଯାଇଛି। ତେବେ ଡାକ୍ତରମାନେ ଏହି ବୈଠକରେ ଯୋଗ ଦେବେ କି ନାହିଁ ତାହା ଏଯାଏଁ ସ୍ଥିର ହୋଇନାହିଁ। ଏହି ମାମଲା ସୁପ୍ରିମକୋର୍ଟରେ ବିଚାରାଧିନ ରହିଥିବାରୁ ଆଲୋଚନା ବୈଠକର ଲାଇଭ୍ ଷ୍ଟ୍ରିମିଂ କିମ୍ବା ଭିଡିଓଗ୍ରାଫି ହେବ ନାହିଁ। ଏହା ବଦଳରେ ବୈଠକର ବିବରଣୀ ରେକର୍ଡ କରାଯାଇ ଉଭୟ ପକ୍ଷ ଦସ୍ତଖତ କରିବେ।

ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ୩୧ ବର୍ଷୀୟ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ନ୍ୟାୟ ଦାବି କରି ଆନ୍ଦୋଳନ ଜୋରଦାର ଚାଲିଥିବା ବେଳେ ମମତା ବାନାର୍ଜୀ ତାଙ୍କୁ ଭେଟିବା ପାଇଁ କହିଥିଲେ। ଗତ ଶନିବାର ମମତା ବାନାର୍ଜୀଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ ଆନ୍ଦୋଳନରତ ଡାକ୍ତରଙ୍କ ଏକ ପ୍ରତିନିଧି ଦଳ। ଏହି ବୈଠକର ସିଧା ପ୍ରସାରଣ ପାଇଁ ଡାକ୍ତରମାନେ ଦାବି କରିଥିବା ବେଳେ ମମତା ସିଧା ପ୍ରସାରଣକୁ ଅନୁମତି ଦେଇନଥିଲେ।