ଭୁବନେଶ୍ବରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ଗାଡକଣ ଅଭିମୁଖେ ଯାତ୍ରା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଓଡ଼ିଶାରେ ପାଳିବେ ଜନ୍ମଦିନ, ସୁଭଦ୍ରା ଯୋଜନାର କରିବେ ଶୁଭାରମ୍ଭ

ଭୁବନେଶ୍ବର, ୧୭/୦୯: ଭୁବନେଶ୍ୱରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅହମ୍ମଦାବାଦରୁ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସଡକ ପଥ ଦେଇ ସିଧାସଳଖ ଗାଡକଣ ଅଭିମୁଖେ ଯାତ୍ରା କରିଛନ୍ତି। ଗାଡକଣରେ ପିଏମ୍ଏୱାଇ ହିତାଧିକାରୀଙ୍କ ସହ ପ୍ରାୟ ଅଧଘଣ୍ଟା ଧରି ଆଲୋଚନା କରିବେ। ଆଜି ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ବରରେ ନିଜର ଜନ୍ମଦିନ ପାଳିବା ସହ ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ୧ଟା ୫ରେ ସମସ୍ତ କାର୍ଯ୍ୟକ୍ରମ ସାରି ୧ଟା ୨୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ଏବଂ ବାୟୁସେନା ବିମାନ ଯୋଗେ ଦିଲ୍ଲୀ ଫେରିବେ। ଅପରାହ୍ନ ୩ଟା ୩୫ରେ ମୋଦି ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବାର କାର୍ଯ୍ୟକ୍ରମ ରହିଛି।

ଓଡ଼ିଶା ଗସ୍ତ ଆରମ୍ଭ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ତାଙ୍କ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରିଥିଲେ ଯେ, “ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ ହେଲା। ଓଡ଼ିଶା ସରକାରଙ୍କ ଏକ ମହତ୍ତ୍ୱକାଂକ୍ଷୀ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ଓଡ଼ିଶାବାସୀଙ୍କ ମଧ୍ୟରେ ରହିବା ଅତ୍ୟନ୍ତ ସ୍ୱତନ୍ତ୍ର। ଏହି ଯୋଜନା ମହିଳା ସଶକ୍ତୀକରଣକୁ ପ୍ରୋତ୍ସାହିତ କରିବ ଏବଂ ନାରୀ ଶକ୍ତିପାଇଁ ଆର୍ଥିକ ସହାୟତାକୁ ସୁନିଶ୍ଚିତ କରିବ। ଏହି କାର୍ଯ୍ୟକ୍ରମରେ ଆହୁରି ଅନେକ ଯୋଜନାର ଶୁଭାରମ୍ଭ କରାଯିବ।”

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଟ୍ରାଫିକ୍ କଟକଣା ସୁନିଶ୍ଚିତ କରାଯାଇଛି। ରାଜଧାନୀରେ ସକାଳ ସାଢ଼େ ୭ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଟ୍ରାଫିକ୍ କଟକଣା ଲାଗୁ କରାଯିବ। ଏଥି ସହ ରାଜଧାନୀର ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଛି ଏବଂ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ସରକାରୀ କାର୍ଯ୍ୟାଳୟ ତଥା ରାଜସ୍ୱ ଏବଂ ମ୍ୟାଜିଷ୍ଟେରିଆଲ କୋର୍ଟ(କାର୍ଯ୍ୟନିର୍ବାହୀ) ବନ୍ଦ ରହିଛି। ସେହିପରି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଜନତା ମଇଦାନକୁ ‘ନୋ ଡ୍ରୋନ୍ ଜୋନ୍ ଭାବେ ଘୋଷଣା କରାଯାଇଛି।