କେରଳରେ ବ୍ୟାପୁଛି ନିପା ଭାଇରସ

ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ଜନସମାଗମ ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ, ୧୬/୦୯: କେରଳରେ ବ୍ୟାପକ ରୁପ ନେଉଛି ନିପା ଭାଇରସ୍। କେରଳର ମାଲାପୁରମ୍ ଜିଲ୍ଲାରେ ନିପା ଭାଇରସ୍ ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ଘଟିବା ପରେ କଟକଣା ଜାରି କରିଛି କେରଳ ସ୍ୱାସ୍ଥ୍ୟ ବିଭାଗ। ଜିଲ୍ଲାରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଘରୁ ବାହାରକୁ ବାହାରିବା ସମୟରେ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବା ସହ ନିପା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଜନସମାଗମ ଉପରେ କଟକଣା ଜାରି କରାଯାଇଛି। ସେହିପରି ସକାଳ ୧୦ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବ୍ୟବସାୟ ଅନୁଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଇଛି। କେବଳ ଅତ୍ୟାବଶ୍ୟକ ସେବା ଯେପରିକି କ୍ଷୀର ବଣ୍ଟନ, ଖବରକାଗଜ ଓ ପନିପରିବା ବିକ୍ରି କରିବା ପାଇଁ ସକାଳ ୬ଟାରୁ ଆରମ୍ଭ ହେବାକୁ ଗାଇଡଲାଇନ ଜାରି କରାଯାଇଛି। ମେଡ଼ିକାଲ ଷ୍ଟୋରଗୁଡ଼ିକୁ ଏହି ନିର୍ଦ୍ଦେଶାବଳୀରୁ ବାଦ୍ ଦିଆଯାଇଛି।

ସିନେମା ହଲ୍ ସମେତ ମନୋରଞ୍ଜନ ସ୍ଥଳଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଶିକ୍ଷାନୁଷ୍ଠାନ ଯଥା ସ୍କୁଲ, କଲେଜ, ମଦ୍ରାସା, ଅଙ୍ଗନବାଡ଼ି ଓ ଟ୍ୟୁସନ ସେଣ୍ଟରଗୁଡ଼ିକୁ ପରବର୍ତ୍ତୀ ନିର୍ଦ୍ଦେଶାବଳୀ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ସ୍କୁଲ ଓ କଲେଜ ଖୋଲା ରହିବ। କିନ୍ତୁ ଛାତ୍ରଛାତ୍ରୀ, ଶିକ୍ଷକ ଓ ସ୍କୁଲର କର୍ମଚାରୀମାନେ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ। ସାମୂହିକ କାର୍ଯ୍ୟ ଯେପରିକି ବିବାହ ଓ ଅନ୍ତିମ ସଂସ୍କାର ଭଳି କାର୍ଯ୍ୟକ୍ରମରେ ସାମାଜିକ ଦୂରତା ବଜାୟ ରଖିବା ସହ ଅତି କମ୍ ସଂଖ୍ୟକ ଲୋକଙ୍କୁ ସାମିଲ ହେବା ପାଇଁ ପରାମର୍ଶ ଦିଆଯାଇଛି। ଶରୀରରେ ଜ୍ୱର ସହ ଅନ୍ୟ କୌଣସି ଲକ୍ଷଣ ଦେଖାଗଲେ ତୁଟୁକା ଚିକିତ୍ସା ନ କରି ଡାକ୍ତରଙ୍କ ପରାମର୍ଶ ନେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।