ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ: ଖାତାକୁ ଗଲା ପ୍ରଥମ କିସ୍ତି

ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ଭୁବନେଶ୍ୱର ସ୍ଥିତ ଗାଡକଣର ଶବର ସାହିରେ ପିଏମ ଆବାସ ଯୋଜନା- ସହରାଞ୍ଚଳର ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ।

ଜନ୍ମଦିନରେ ଓଡିଶାକୁ ଭେଟି ଦେଲେ ୩୮୦୦ କୋଟି ଟଙ୍କାର ଉନ୍ନୟନ ମୂଳକ ପ୍ରକଳ୍ପ

ଭୁବନେଶ୍ବର, ୧୭/୦୯: ଓଡ଼ିଶାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାରେ ଜନ୍ମ ଦିନ ପାଳିବା ସହ ମହିଳାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ରାଜ୍ୟରେ ୩୮୦୦ କୋଟିରୁ ଅଧିକ ଟଙ୍କାର ରେଳ ଓ ଜାତୀୟ ରାଜପଥ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି।

ଜନତା ମଇଦାନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟରେ ୨୮୭୧ କୋଟି ଟଙ୍କାର ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ସହ ୧୦୦୦ କୋଟି ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ସେହିପରି ସୁଭଦ୍ରା ଯୋଜନାରେ ୨୫ ଲକ୍ଷରୁ ଅଧିକ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୨୫୦ କୋଟିରୁ ଅଧିକ ଟଙ୍କା ଟ୍ରାନ୍ସଫର କରାଯାଇଥିଲା।

୨୧ରୁ ୬୦ ବର୍ଷ ବୟସ ବର୍ଗର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ୨୦୨୪-୨୫ରୁ ୨୦୨୮-୨୯ ମଧ୍ୟରେ ୫ ବର୍ଷ ପାଇଁ ୫୦ ହଜାର ଟଙ୍କା ମିଳିବ। ଦୁଇଟି କିସ୍ତିରେ ବାର୍ଷିକ ୧୦ ହଜାର ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଜମା କରାଯିବ। ବର୍ତ୍ତମାନ ସୁଦ୍ଧା ୭୬ ଲକ୍ଷ ମହିଳା ଏହି ଯୋଜନାରେ ପଞ୍ଜୀକରଣ କରିଛନ୍ତି।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ୱର ସ୍ଥିତ ଗାଡକଣର ଶବର ସାହିରେ ପିଏମ ଆବାସ ଯୋଜନା- ସହରାଞ୍ଚଳର ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ପ୍ରଧାନମନ୍ତ୍ରୀ ଅନେକ ହିତାଧିକାରୀଙ୍କ ଘରକୁ ଯାଇ ସେମାନଙ୍କ ସହ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ହିତାଧିକାରୀଙ୍କ ଘରେ ପୂଜାର୍ଚ୍ଚନା କରିବା ସହ ହିତାଧିକାରୀଙ୍କ ଦ୍ୱାରା ପ୍ରସ୍ତୁତ ଖିରି ମଧ୍ୟ ଖାଇଥିଲେ।