ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅରବିନ୍ଦ କେଜ୍ରିୱାଲ

ମୁଖ୍ୟମନ୍ତ୍ରୀ ପଦ ପାଇଁ ଉପରାଜ୍ୟପାଳଙ୍କ ପାଖରେ ଦାବି ଉପସ୍ଥାପନ କଲେ ଆତିଶୀ

ନୂଆଦିଲ୍ଲୀ, ୧୭/୦୯: ଆମ୍ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଉପରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଭେଟି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଆପ୍ ବିଧାୟକ ଦଳ ନେତାଙ୍କ ଦ୍ୱାରା ଆପର ସଭାପତି ଓ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହୋଇଥିବା ବରିଷ୍ଠ ନେତ୍ରୀ ତଥା ମନ୍ତ୍ରୀ ଆତିଶୀ ମାର୍ଲେନା ସିଂ ଉପରାଜ୍ୟପାଳଙ୍କୁ ଭେଟି ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି ଉପସ୍ଥାପନ କରିଥିଲେ।

ଉପରାଜ୍ୟପାଳଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଆତିଶୀ କହିଛନ୍ତି, ବିଶ୍ୱର ଗଣତାନ୍ତ୍ରିକ ଇତିହାସରେ ପ୍ରଥମ ଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ଯେ ସୁପ୍ରିମ୍ କୋର୍ଟଙ୍କ ନିଷ୍ପତ୍ତି ତାଙ୍କ ପାଇଁ ଯଥେଷ୍ଟ ନୁହେଁ। ଯେପର୍ଯ୍ୟନ୍ତ ଜନତାଙ୍କ ରାୟ ନ ଆସିବ ସେ ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ନାହିଁ। ଦିଲ୍ଲୀବାସୀ ଅରବିନ୍ଦ କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି, ତେଣୁ ଆଗାମୀ ନିର୍ବାଚନରେ ମଧ୍ୟ ତାଙ୍କୁ ଜିତାଇବାକୁ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି। କେଜ୍ରିୱାଲଙ୍କ ଇସ୍ତଫାକୁ ନେଇ ସମଗ୍ର ଦିଲ୍ଲୀ ଦୁଃଖିତ ବୋଲି ସେ କହିଛନ୍ତି।

ଆଜି ସର୍ବସହମ୍ମତିରେ ଆପ୍ ବିଧାୟକ ଦଳ ବୈଠକରେ ମନୋନୀତ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପାଇଁ ମନୋନୀତ ହୋଇଥିଲେ ଆତିଶୀ। ଆତିଶୀ ବର୍ତ୍ତମାନ ଦିଲ୍ଲୀର ଶିକ୍ଷା ମନ୍ତ୍ରୀ ଥିବା ବେଳେ ୫ଟି ପ୍ରମୁଖ ବିଭାଗର ଦାୟିତ୍ୱରେ ଅଛନ୍ତି। ଆପର ସଙ୍କଟ ସମୟରେ ୧୪ଟି ମନ୍ତ୍ରାଳୟର ଦାୟିତ୍ୱ ସମ୍ଭାଳିଥିଲେ ଆତିଶୀ। ଆଗାମୀ ୫ ମାସ ଯାଏଁ ନିର୍ବାଚନ ହେବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ ଆତିଶୀ।