ଗରିବଙ୍କ କଲ୍ୟାଣ ପାଇଁ ମୋହନ ସରକାର ପ୍ରତିଶ୍ରୁତିବଦ୍ଧ

ବିଜେପିର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

ଭୁବନେଶ୍ବର, ୧୯/୦୯: ଗୁରୁବାର ଓଡ଼ିଶାରେ ବିଜେପି ସରକାରକୁ ପୂରିଲା ୧୦୦ ଦିନ। ଏ ନେଇ ପୁରୀରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ବିଶାଳ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ ଓ ବିଜେପିର ବରିଷ୍ଠ ନେତା।

ଏହି ଅବସରରେ ମୋହନ ସରକାରଙ୍କ ସଫଳତାକୁ ଉପସ୍ଥାପନା କରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ, ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ ଥିବା ପ୍ରତିଶ୍ରୁତି ପୂରଣ କରୁଛି ବିଜେପି ସରକାର। ଦୀର୍ଘ ବର୍ଷ ଧରି ବନ୍ଦ ହୋଇ ରହିଥିବା ଜଗନ୍ନାଥ ମନ୍ଦିରର ୪ଟି ଦ୍ୱାରକୁ ସଫଳତାର ସହ ଖୋଲାଯିବା ସହ ରତ୍ନଭଣ୍ଡାର ଖୋଲିଛନ୍ତି ମୋହନ ସରକାର। ଆମ ସରକାର ନିଜର ପ୍ରତିଶ୍ରୁତି ପାଳନ କରି ମହିଳା ସଶକ୍ତୀକରଣ ଉଦ୍ଦେଶ୍ୟରେ ଏକ ବିଶାଳ କଲ୍ୟାଣକାରୀ ଯୋଜନା ‘ସୁଭଦ୍ରା ଯୋଜନା’ ଆରମ୍ଭ କରିଛନ୍ତି। ଜଗନ୍ନାଥ ମନ୍ଦିରର ଆବଶ୍ୟକତା ପାଇଁ ସରକାର ୫୦୦ କୋଟି ଟଙ୍କାର ପାଣ୍ଠି ଗଠନ କରିଛନ୍ତି। ରାଜ୍ୟର ଓଡ଼ିଆ ଭାଷା, କଳା, ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାର ପାଇଁ ବିଭିନ୍ନ ପଦକ୍ଷେପ ନେବା ପାଇଁ ୨୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି। କିଛି ପ୍ରତିଶ୍ରୁତି ପୂରଣ ହୋଇଥିବା ବେଳେ ଆଗାମୀ ଦିନରେ ଆଉ କିଛି ପ୍ରତିଶ୍ରୁତି ପୂରଣ ହେବ।

ଓଡିଶାବାସୀ ବିଜେପିକୁ ସେବା କରିବା ପାଇଁ ଏକ ସୁଯୋଗ ଦେଇଛନ୍ତି। ଏହି ସୁଯୋଗକୁ ଆମେ ଜନତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବୁ। ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ସେ ସାଧାରଣ ଲୋକଙ୍କ ସ୍ୱର ପାଲଟିଯାଇଛନ୍ତି। ମୋହନ ମାଝୀ ନାଗରିକଙ୍କ ସହ ସିଧାସଳଖ ଯୋଗାଯୋଗ କରିବାକୁ ପ୍ରତିଶ୍ରୁତିବଦ୍ଧ। ଏହି ସରକାର ରାଜ୍ୟର କୋଣ ଅନୁକୋଣରେ ପହଂଚି ସମସ୍ତଙ୍କ ସମସ୍ୟାର ଶୁଣାଣି ଓ ସମାଧାନ ସୁନିଶ୍ଚିତ କରିବାକୁ ପ୍ରତିଶ୍ରୁତିବଦ୍ଧ। ରାଜ୍ୟର କୋଣ ଅନୁକୋଣରେ ଥିବା ସାଧାରଣ ଗରିବ ଲୋକଙ୍କ କଲ୍ୟାଣ କରିବା ପାଇଁ ଓ ମହିଳାଙ୍କୁ ସଶକ୍ତ କରିବା ପାଇଁ ମୋହନ ସରକାର ବଦ୍ଧପରିକର ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।