ରାଜ୍ୟରେ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଆସିବ ପିଏଚଡି ପାଠ୍ୟକ୍ରମ

ଗବେଷଣା କରିବାକୁ ସୁଯୋଗ ପାଇବେ ଓଡ଼ିଆ ଡାକ୍ତରୀ ଛାତ୍ରଛାତ୍ରୀ।

ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ସହ ୬ ବିଶ୍ୱବିଦ୍ୟାଳୟର ଚୁକ୍ତି ସ୍ୱାକ୍ଷର

ଭୁବନେଶ୍ବର, ୧୯/୦୯: ରାଜ୍ୟରେ ପ୍ରଥମ ଥର ପାଇଁ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ପିଏଚଡି ପାଠ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଓଡ଼ିଶାର ଡାକ୍ତରୀ ଛାତ୍ରଛାତ୍ରୀମାନେ ଗବେଷଣା କରିବାକୁ ସୁଯୋଗ ପାଇବେ। ବିଦେଶୀ ଅଧ୍ୟାପକଙ୍କଠାରୁ ଅନଲାଇନରେ ଶିକ୍ଷାଦାନ ପାଇବେ ଓଡ଼ିଶାର ଡାକ୍ତରୀ ଛାତ୍ରଛାତ୍ରୀ।

ଏ ନେଇ ସ୍ୱାସ୍ଥ୍ୟ ଶିକ୍ଷା, ଗବେଷଣା ଏବଂ ପରିଚାଳନାରେ ଉନ୍ନତି ଆଣିବା ପାଇଁ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ସହିତ ଭୁବନେଶ୍ୱର ଏମ୍ସ, ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ, ଆଇଆଇଟି ଭୁବନେଶ୍ୱର, ନାଇଜର, ଜାଭିୟର ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଭୁବନେଶ୍ୱର ଓ ଜର୍ମାନୀର ଏକ ବିଶ୍ୱବିଦ୍ୟାଳୟ ସହ ବୁଝାମଣାପତ୍ର ସ୍ୱାକ୍ଷରିତ କରିଛି। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତିରେ ଏମ୍ଓୟୁ ସ୍ୱାକ୍ଷର ହୋଇଛି।

ସ୍ନାତକୋତ୍ତର ଡାକ୍ତରୀ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ଚଣ୍ଡିଗଡ଼, ଜବାହରଲାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପୋଷ୍ଟଗ୍ରାଜୁଏଟ୍ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ ପଣ୍ଡିଚେରୀ, ସଞ୍ଜୟ ଗାନ୍ଧୀ ସ୍ନାତକୋତ୍ତର ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ ଲକ୍ଷ୍ନୌ ସହ ଅତିରିକ୍ତ ଭାଗିଦାରୀ ରହିବ।

ଜର୍ମାନୀର ଡାକ୍ତର ଯୋଗେଶ ବଶିଷ୍ଟ, ଦିଲ୍ଲୀର ପ୍ରଫେସର ଅନୀଲ ଅଗ୍ରୱାଲ, ଭାଇଜାଗର ପ୍ରଫେସର ଗୀତାଞ୍ଜଳି ବତମାନାବେନ ଓ ପଣ୍ଡିଚେରୀର ଜବାହରଲାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପୋଷ୍ଟଗ୍ରାଜୁଏଟ୍ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚର ପ୍ରଫେସର ବିକ୍ରମ କାଟେଙ୍କ ସହଯୋଗରେ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପିଏଚଡି ପାଠ୍ୟକ୍ରମରେ ଗବେଷଣାକୁ ଆଗକୁ ନେବ।