ଭରତପୁର ଥାନା ଘଟଣା: ପ୍ରେସମିଟ କରି ନିନ୍ଦା କଲେ ନବୀନ

ବିଚାର ବିଭାଗୀୟ ତଦନ୍ତ ଦାବି କଲେ

ଭୁବନେଶ୍ୱର, ୨୦/୦୯: ଗତ ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ପୁଲିସ ଷ୍ଟେସନରେ ଜଣେ ଆର୍ମି ମେଜର ଗୁରବଂଶ ସିଂହ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ପୋଲିସର ଅକଥନୀୟ ନିର୍ଯାତନା ଘଟଣାରେ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ଘଟଣାକୁ ନିନ୍ଦା କରିବା ସହ ଏହାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି ନବୀନ। ଏଥି ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି।

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ସହ ଘଟିଥିବା ଘଟଣା ଆଶ୍ଚର୍ଯ୍ୟଜନକ। ତାଙ୍କ ସହ ଅସଦାଚରଣ ଓ ଦୁର୍ବ୍ୟବହାର ହୋଇଛି। ଏହି ଘଟଣାର ତଦନ୍ତ କରାଯାଇ ପ୍ରକୃତ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ। ମୋ ସରକାର ଥିବା ସମୟରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ନେତାମାନେ ନିଜେ ଲୋକଙ୍କୁ ଫୋନ କରି ପୋଲିସର ବ୍ୟବହାର ବିଷୟରେ ପଚାରୁଥିଲେ ଓ ଥାନା ଭିତରେ ଲୋକମାନଙ୍କୁ ସହଯୋଗ କରାଯିବା ନେଇ ସେମାନଙ୍କଠାରୁ ବୁଝୁଥିଲେ। କିନ୍ତୁ ଏବେ ଆଇନଶୃଙ୍ଖଳା ଭୁଶୁଡ଼ି ପଡିଛି। ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ ଏକ ଗମ୍ଭୀର ଆକ୍ରମଣ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ସରକାର ଅନିଚ୍ଛା ପ୍ରକାଶ କରିବା ଅନ୍ୟମାନଙ୍କୁ ଅପରାଧ କରିବା ପାଇଁ ଉତ୍ସାହିତ କରିଛି। ତେଣୁ ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଁ ସରକାରଙ୍କୁ ଅନୁରୋଧ କରୁଛି। ଜଣେ ସେନା ମେଜର ଓ ମହିଳାଙ୍କ ବିରୋଧରେ ହୋଇଥିବା ଏହି ଗମ୍ଭୀର ଘଟଣାର ନ୍ୟାୟିକ ତଦନ୍ତ ଓ କୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ତଦନ୍ତ କରିବାକୁ ସେ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଗତ ୧୪ ତାରିଖ ମଧ୍ୟରାତ୍ରିରେ ଆର୍ମି ମେଜର ଗୁରବଂଶ ସିଂହ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନ ରାସ୍ତାରେ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ଯାହା ପରେ ସେ ତାଙ୍କ ସୁରକ୍ଷା ନିଶ୍ଚିତ କରାଇବା ପାଇଁ ଭରତପୁର ଥାନାରେ ଦୁର୍ବୃତ୍ତଙ୍କ ବିରୋଧରେ ଅଭିଯୋଗ ଦାୟର କରିବା ପାଇଁ ଯାଇଥିଲେ। ହେଲେ, ଉକ୍ତ ଥାନାର ଆଇଆଇସି ଦୀନକୃଷ୍ଣ ମିଶ୍ର ଓ କନେଷ୍ଟବଳଙ୍କ ସମେତ ୫ ଜଣ ପୁଲିସ ଅଧିକାରୀ ତାଙ୍କୁ ନିର୍ଯାତନା ଦେଇଥିଲେ। ଆର୍ମି ମେଜର ଗୁରବଂଶ ସିଂହଙ୍କୁ ମାଡ ମାରିବା ସହିତ ଥାନା ହାଜତରେ ରଖିଥିଲେ। ସେହିପରି ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ମାଡ ମାରିବା ସହ ଅସଦାଚରଣ କରିଥିଲେ। ପୋଲିସ ଅଧିକାରୀଙ୍କ ଏହି ବର୍ବରତା ଏତିକିରେ ମଧ୍ୟ ସରି ନଥିଲା। ସେମାନେ ଅଙ୍କିତା ପ୍ରଧାନଙ୍କୁ ଯୌନ ନିର୍ଯାତନା ଦେବାକୁ ପଛାଇ ନଥିଲେ। ପୋଲିସ ମାଡ଼ରେ ତାଙ୍କର ଗୋଟିଏ ହାତ ଭାଙ୍ଗି ଯାଇଥିବା ବେଳେ ଦାନ୍ତ ବି ଭାଙ୍ଗିଛି। ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଛି। ଏପରି ଅକଥନୀୟ ଅତ୍ୟାଚାର ପରେ ତାଙ୍କୁ ଡାକ୍ତରୀମାଇନା ନ କରାଯାଇ ଜେଲ ପଠାଇ ଦିଆଯାଇଥିଲା। ହାଇକୋର୍ଟରୁ ଜାମିନ ମଞ୍ଜୁର ପରେ ଗତ କାଲି ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଡିସଚାର୍ଜ ହେବା ପରେ ଗଣମାଧ୍ୟମ ସାମନାରେ ସେଦିନ ରାତିର ବର୍ବର କାହାଣୀ କହି କାନ୍ଦି ପକାଇଥିଲେ ଅଙ୍କିତା। ଅଙ୍କିତାଙ୍କ ବୟାନ ପରେ ଏବେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି। ପୋଲିସର ସୁରକ୍ଷା ଉପରେ ଏଡେ ସନ୍ଦେହ ଉପୁଜିଛି।

ଏହି ଘଟଣା ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ପରେ ଭରତପୁର ଥାନାର ପୂର୍ବତନ ଆଇଆଇସି ଦିନକୃଷ୍ଣ ମିଶ୍ର, ସବ୍ ଇନ୍ସପେକ୍ଟର ବୈଶାଳୀନୀ ପଣ୍ଡା, ମହିଳା ଏଏସଆଇ ସଲିଳାମୟୀ ସାହୁ ଓ ସାଗରିକା ରଥ ଏବଂ କନେଷ୍ଟବଳ ବଳରାମ ହାଁସଦାଙ୍କୁ ନିଲମ୍ବିତ କରାଯାଇଛି। ତେବେ ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ପୂର୍ବତନ ସେନା ଅଧିକାରୀ।