ଆସନ୍ତାକାଲି ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଆକ୍ରମଣ ଓ ନିର୍ଯାତନା ଘଟଣାରେ ଆସନ୍ତାକାଲି ରାଜଭବନ ବାହାରେ ବିକ୍ଷୋଭ କରିବ ବିଜେଡି।

ରାଜଭବନ ସମ୍ମୁଖରେ ବିକ୍ଷୋଭ କରିବ

ଭୁବନେଶ୍ୱର, ୨୦/୦୯: ଭାରତୀୟ ସେନା ଅଧିକାରୀ ମେଜର ଗୁରବଂଶ ସିଂହ ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ମାରିବା ଓ ଅସଦାଚରଣ କରିଥିବା ଭରତପୁର ଥାନା ଆଇଆଇସି ଓ ଅନ୍ୟ ୪ ଜଣ ପୁଲିସ କର୍ମଚାରୀଙ୍କ ବିରୋଧରେ ରାଜ୍ୟ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇବ ବିଜୁ ଜନତା ଦଳ। ଆସନ୍ତାକାଲି ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ ଓ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିବ ବିଜେଡି।

ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସରକାର ମହିଳାଙ୍କ ସୁରକ୍ଷା କରିବାରେ ଅସମର୍ଥ ବୋଲି ବିଜେଡି ସଭ୍ୟମାନେ ତୀବ୍ର ସମାଲୋଚନା କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ ବିଏମସି ମେୟର ସୁଲୋଚନା ଦାସ, ରାଜ୍ୟସଭା ସାଂସଦ ସୁଲତା ଦେଓ ଓ ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର। ରାଜ୍ୟପାଳଙ୍କ ପୁଅ ଲଳିତ କୁମାରଙ୍କ ଆକ୍ରମଣର ଶିକାର ହୋଇଥିବା ଏଏସ୍ଓ ବୈକୁଣ୍ଠ ପ୍ରଧାନଙ୍କ ଆକ୍ରମଣ ମାମଲାକୁ ନିନ୍ଦା କରି ସୁଲତା ଦେଓ କହିଛନ୍ତି ଯଦି ସେତେବେଳେ ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଆନ୍ତା ତାହାଲେ ଆଜି ମେଜର ଓ ତାଙ୍କ ବାନ୍ଧବୀଙ୍କ ଉପରେ ଏଭଳି ଅତ୍ୟାଚାର ହୋଇନଥାନ୍ତା।

ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ଭୁବନେଶ୍ୱରର ଗୋଟିଏ ମଡେଲ ପୋଲିସ ଷ୍ଟେସନରେ ଜଣେ କାର୍ଯ୍ୟରତ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଅକଥନୀୟ ଅତ୍ୟାଚାର ଦେବା ସହ ଶାରିରୀକ ଓ ମାନସିକ ନିର୍ଯାତନା ଦେବା ଘଟଣାକୁ ବିଜେଡି ତରଫରୁ ଘୋର ନିନ୍ଦା କରାଯାଉଛି। ଓଡିଶାରେ ବିଜେପି ସରକାର ଓ ବିଜେପି ଦଳ ନିଜକୁ ରାଷ୍ଟ୍ରବାଦୀ ଦଳ ବୋଲି କହେ। ସବୁବେଳେ ଓଡ଼ିଆ ଅସ୍ମିତା ଓ ଓଡିଶାବାସୀଙ୍କୁ ନ୍ୟାୟ ଦେବା କଥା କହୁଥିବା ବିଜେପି ସରକାରରେ ଜଣେ ଉଚ୍ଚଶିକ୍ଷିତ ଓ ସଶକ୍ତ ମହିଳାଙ୍କ ଉପରେ ପୋଲିସ ଷ୍ଟେସନରେ ଘଟିଥିବା ଅକଥନୀୟ ଅତ୍ୟାଚାର ସଭ୍ୟ ସମାଜ ପାଇଁ ଗ୍ରହଣୀୟ ନୁହେଁ। ଏହାକୁ ଦେଖିଲା ପରେ ଓଡ଼ିଶାର ଅନ୍ୟ ସାଧାରଣ ପୋଲିସ ଷ୍ଟେସନରେ ସାଧାରଣ ଜନତାଙ୍କ ଉପରେ ଘଟୁଥିବା ଘଟଣା ଅନୁମାନ କରି ହେଉଛି। ବିଜେପି ୧୦୦ ଦିନ ସରକାର ଗଢିବା ଉତ୍ସବ ପାଳନ କରୁଥିବା ବେଳେ ଏହି ୧୦୦ ଦିନରେ ଓଡିଶାରେ ମହିଳାଙ୍କ ସୁରକ୍ଷା ଅଛି କି ନାହିଁ ବୋଲି ବିଜେପି ସ୍ପଷ୍ଟ କରୁ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ମୋ ସରକାର ଅଧିନରେ ସବୁ ଥାନାକୁ ପ୍ରତ୍ୟକ୍ଷ ଭାବେ ମନିଟରିଂ କରାଯାଉଥିଲା। ବିଜେଡିର କାର୍ଯ୍ୟକାଳ ସମୟରେ ଭରତପୁର ଥାନାରେ ସିସିଟିଭି କ୍ୟାମେରା ଲଗାଯାଇଥିଲା। କିନ୍ତୁ ବର୍ତ୍ତମାନ ପୋଲିସ ଦାବି କରୁଛି ଯେ ତାହା ଲଗାଯାଇନାହିଁ। ପୁଲିସ ଘଟଣାକୁ ଲୁଚାଇବାକୁ ଚେଷ୍ଟା କରୁଛି ବୋଲି ଦଳ ଅଭିଯୋଗ କରିଛି। ମୋହନ ମାଝୀ ସରକାର ଗୋଟିଏ ଦୁର୍ବଳ ସରକାର। ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଥିବା ସରକାର, ଲୋକଙ୍କୁ ନ୍ୟାୟ ଦେବା ପାଇଁ ଇଚ୍ଛା ନଥିବା ସରକାର ବୋଲି ଅଭିଯୋଗ କରିଛନ୍ତି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର।