ଭାରତରେ ବେଆଇନ ଭାବେ ରହୁଥିଲେ ୫ ବାଂଲାଦେଶୀ ନାଗରିକ

୧୦ ବର୍ଷ ପରେ ଗିରଫ କଲା ମହାରାଷ୍ଟ୍ର ପୋଲିସ

ନୂଆଦିଲ୍ଲୀ, ୨୪/୦୯: ୧୦ ବର୍ଷ ଧରି ଭାରତରେ ବେଆଇନ ଭାବେ ରହୁଥିଲେ ପାଞ୍ଚ ବାଂଲାଦେଶୀ ନାଗରିକ। ଏ ନେଇ ଗୁଇନ୍ଦା ସୂତ୍ରରୁ ସୂଚନା ପାଇବା ପରେ ମହାରାଷ୍ଟ୍ରର ପାଲଘର ଜିଲ୍ଲାରୁ ଗିରଫ କରିଛି ପୁଲିସର ଆଣ୍ଟି ହ୍ୟୁମାନ ଟ୍ରାଫିକିଂ ସେଲ୍। ଗତ ସେପ୍ଟେମ୍ବର ୨୨ ତାରିଖରେ ନଲା ସୋପାରାର ଏକ ବସ୍ତିରେ ଚଢ଼ାଉ କରି ୫ ଜଣଙ୍କୁ ଧରିଥିଲା ପୋଲିସ।

ଅଭିଯୁକ୍ତ ମାନେ ହେଲେ ଅରଶଦ ରହମତୁଲ୍ଲା ଗାଜି (୫୨), ଅଲି ମହମ୍ମଦ ଦିନମହମ୍ମଦ ମଣ୍ଡଳ (୫୬), ମିରାଜ ସାହେବ ମଣ୍ଡଳ (୧୯), ସଜାଦ କାଦିର ମଣ୍ଡଳ (୪୫) ଓ ସାହେବ ପଞ୍ଚାନନ ସର୍ଦ୍ଦାର (୪୫)। ସେମାନଙ୍କ ନିକଟରେ ଭାରତରେ ପ୍ରବେଶ ପାଇଁ କୌଣସି ବୈଧ କାଗଜପତ୍ର ନଥିବା ଜଣା ପଡ଼ିଛି। ଏହି ବ୍ୟକ୍ତିମାନେ ୧୦ ବର୍ଷ ପୂର୍ବେ ଜଳପଥ ଦେଇ ଦେଶରେ ପ୍ରବେଶ କରିଥିଲେ ଏବଂ ଶ୍ରମିକ ଭାବରେ କାମ କରୁଥିଲେ। ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି।

ସୂଚନା ମୁତାବକ, ଗତ ଅଗଷ୍ଟ ମାସରେ ମହାରାଷ୍ଟ୍ରର ଥାନେ ଅଞ୍ଚଳରୁ ୫ ଜଣ ବାଂଲାଦେଶୀ ମହିଳାଙ୍କୁ ଗିରଫ କରିଥିଲା ମହାରାଷ୍ଟ୍ର ପୋଲିସ। ସେମାନେ କିଛି ବର୍ଷ ଧରି ଭାରତରେ ବେଆଇନ ଭାବେ ବିନା କୌଣସି ବୈଧ ପ୍ରମାଣ ପତ୍ରରେ ରହି ଆସୁଥିଲେ। ସେହିପରି ଅଗଷ୍ଟ ମାସରେ ନୱି ମୁମ୍ବାଇରୁ ଭାରତରେ ବେଆଇନ ଭାବେ ପ୍ରବେଶ କରିଥିବା ଆଉ ୫ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରାଯାଇଥିଲା। ପଚରାଉଚରା ବେଳେ ଜଣା ପଡିଥିଲା ଯେ, ସେମାନେ ନକଲି କାଗଜପତ୍ର ପ୍ରସ୍ତୁତ କରି ଭାରତରେ ପ୍ରବେଶ କରିଥିଲେ।