ଭରତପୁର ଥାନା ଘଟଣାରେ ଦେଶ ବ୍ୟାପୀ ଅସନ୍ତୋଷ

ସୋସିଆଲ ମିଡିଆରେ ସେନା-ପୋଲିସ ମୁହାଁମୁହିଁ

ନୂଆଦିଲ୍ଲୀ, ୨୪/୦୯: ଓଡ଼ିଶାର ଭରତପୁର ଥାନାରେ ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କ ସହ ଘଟିଥିବା ଘଟଣା ପରେ ଦେଶ ବ୍ୟାପୀ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଥାନା ଭିତରେ ଜଣେ ମେଜର ଓ ତାଙ୍କ ବାନ୍ଧବୀଙ୍କ ଉପରେ ଆକ୍ରମଣ ବର୍ବରତାର ଚରମ ସୀମା ଟପି ଯାଇଥିବା କୁହାଯାଉଛି। ଏବେ ଏହାକୁ ନେଇ ସେନା ଓ ପୋଲିସ ସୋସିଆଲ ମିଡ଼ିଆରେ ମୁହାଁମୁହିଁ ହୋଇଛନ୍ତି। ଅବସରପ୍ରାପ୍ତ ଜେନେରାଲ ଭିକେ ସିଂହ ଓ ସେନା ଅଧିକାରୀମାନେ ଏହି ଘଟଣାକୁ ଲଜ୍ଜାଜନକ ବୋଲି କହୁଥିବା ବେଳେ ପୋଲିସ ଅଧିକାରୀମାନେ ମେଜର ଓ ତାଙ୍କ ବାନ୍ଧବୀ ମଦ୍ୟପାନ କରିଥିବା ଅଭିଯୋଗ କରି ସେମାନଙ୍କ ଆଚରଣ ଉପରେ ପ୍ରଶ୍ନ ଉଠାଇଛନ୍ତି।

ଅବସରପ୍ରାପ୍ତ ସେନାମୁଖ୍ୟ ଜେନେରାଲ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭିକେ ସିଂହ ପୁଲିସ କର୍ମଚାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଓଡ଼ିଶାର ଭରତପୁର ଥାନାରେ ଜଣେ ଆର୍ମି ଅଫିସରଙ୍କ ପ୍ରେମିକାଙ୍କ ସହ ଯାହା ଘଟିଛି ତାହା ଲଜ୍ଜାଜନକ ଓ ଭୟାନକ। ପୁଲିସ ପୋଷାକ ପିନ୍ଧି ଅପରାଧୀମାନଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଥିବା ପୁଲିସ କର୍ମଚାରୀ ଓ ସମସ୍ତଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଭିକେ ସିଂହ ଟୁଇଟ୍ କରି କହିଛନ୍ତି।

ସେହିପରି ଅବସରପ୍ରାପ୍ତ ମେଜର ଗୌରବ ଆର୍ଯ୍ୟ ଟ୍ୱିଟ୍ କରି କହିଛନ୍ତି, ଓଡ଼ିଶା ପୁଲିସ ଜଣେ ସେନା ଅଧିକାରୀଙ୍କ ସହ ଅସଦାଚରଣ କରିବା ଏକ ଅପରାଧ। ସେମାନେ ଜଣେ ମହିଳାଙ୍କୁ ଅସଦାଚରଣ, ଅପମାନିତ ଏବଂ ନିର୍ଯାତନା ଦେଇଥିଲେ। ଯେଉଁଥିପାଇଁ କୌଣସି କ୍ଷମା ନାହିଁ। ଅବସରପ୍ରାପ୍ତ ମେଜର ଜେନେରାଲ ହର୍ଷ କକ୍କର ଓଡ଼ିଶା ପୁଲିସକୁ ଅସଦାଚରଣକାରୀ, ଲାଞ୍ଚଖୋର୍, କୁଟିଳ ଓ ମହିଳାଙ୍କ ପ୍ରତି ନିର୍ଯାତନାକୁ ପ୍ରୋତ୍ସାହିତ କରୁଥିବା ପୋଲିସ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓ ଓ ଓଡ଼ିଶା ଅବସରପ୍ରାପ୍ତ ପୁଲିସ ଅଧିକାରୀ କଲ୍ୟାଣ ସଂଘ ପ୍ରଶ୍ନ କରିଛନ୍ତି ଯେ ମଦ୍ୟପାନ କରି ଗାଡି ଚଳାଇବା, ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ସହ ଝଗଡ଼ା କରିବା ଏବଂ ଥାନାରେ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗରେ ସେନା ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି କି? ତେବେ ଦୋଷୀ ପୁଲିସ ଅଧିକାରୀଙ୍କୁ ଆଇନ ଅନୁଯାୟୀ ଦଣ୍ଡ ମିଳିବା ଦରକାର ବୋଲି ସେ କହିଛନ୍ତି।

ଭିକେ ସିଂହଙ୍କ ଟୁଇଟ୍ ଉପରେ ପ୍ରତିକ୍ରିୟା ରଖି ନାଗେଶ୍ୱର ରାଓ କହିଛନ୍ତି ଯେ ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କ ମଦ୍ୟପାନ ଓ ଅଶାଳୀନ ଆଚରଣ ପାଇଁ ଓଡ଼ିଶା ପୁଲିସକୁ କଡ଼ା ସମାଲୋଚନା କରିବା ଠିକ୍ ନୁହେଁ। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ମେଜର ଓ ତାଙ୍କ ବାନ୍ଧବୀ ଡାକ୍ତରୀ ପରୀକ୍ଷା ପାଇଁ ଡାକ୍ତରଖାନା ଯିବାକୁ ମନା କରିଦେଇଥିଲେ। ଭୁବନେଶ୍ୱରରେ ଜଣେ ଆର୍ମି ଅଫିସର ଓ ତାଙ୍କ ପ୍ରେମିକା ରାତି ପ୍ରାୟ ୨ଟା ବେଳେ ୧୦ ପେଗ୍ ମଦ ପିଇ କାର୍ ଚଳାଇ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ସହ ରାତି ପ୍ରାୟ ୨ଟାରୁ ସାଢ଼େ ୨ଟା ବେଳେ ଝଗଡ଼ା କରିବା ପରେ ଭରତପୁର ଥାନାରେ ପହଞ୍ଚି ଥାନା ଭିତରେ ହଙ୍ଗାମା କରିବାରୁ କର୍ମଚାରୀଙ୍କୁ ପିସିଆରର ସହାୟତା ନେବାକୁ ପଡ଼ିଥିଲା। ଜଣେ ସେନାଧ୍ୟକ୍ଷ ଓ ପରେ କେନ୍ଦ୍ରମନ୍ତ୍ରୀ ଥିବା ଆପଣ ଜଣେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କ ମଦ୍ୟପାନ କରିବା ଓ ଅଶାଳୀନ ଆଚରଣ ପାଇଁ ଓଡ଼ିଶା ପୁଲିସକୁ ସମାଲୋଚନା କରିଥିଲେ। କିନ୍ତୁ ଏଥିରେ ଓଡ଼ିଶା ପୁଲିସର କୌଣସି ଦୋଷ ନଥିଲା ବୋଲି ଶ୍ରୀ ରାଓ କହିଛନ୍ତି।