ନିଲାମ ହେଲା ମହାପ୍ରଭୁଙ୍କ ଅର୍ପଣ ଚାଉଳ

୨.୮୬ କୋଟି ଟଙ୍କାରେ ବିକ୍ରି ହେଲା ଚାଉଳ

ପୁରୀ, ୦୪/୧୦: ନିଲାମ ହେଲା ମହାପ୍ରଭୁଙ୍କ ଅର୍ପଣ ଚାଉଳ। ମୋଟ ୧୦ ହଜାର ୩୨୨ କୁଇଣ୍ଟାଲ ଚାଉଳ ବିକ୍ରି କରିଛି ଶ୍ରୀମନ୍ଦିର ପ୍ରଶାସନ। ଯାହାର ମୂଲ୍ୟ ୨ କୋଟି ୮୬ ଲକ୍ଷ ଟଙ୍କା ରହିଛି। କୁଇଣ୍ଟାଲ ପିଛା ୨୭୮୦ ଟଙ୍କାରେ ଚାଉଳ ବିକ୍ରି ହୋଇଛି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ ୧୪ ହଜାର କୁଇଣ୍ଟାଲ ଚାଉଳ ସଂଗ୍ରହ ହୋଇଥିଲା। ଅର୍ପଣ ଚାଉଳରୁ ମହାପ୍ରସାଦ ପ୍ରସ୍ତୁତ କରି ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ବଣ୍ଟନ କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ସରକାର ବଦଳିବା ପରେ ମହାପ୍ରସାଦ ପ୍ରସ୍ତୁତି ଓ ବଣ୍ଟନ ବନ୍ଦ ହୋଇଯାଇଥିଲା। ଏଥିରେ ୪ ହଜାର କୁଇଣ୍ଟାଲ ଚାଉଳ ବ୍ୟବହାର ହୋଇଥିଲା ବେଳେ ୧୦ ହଜାର କୁଇଣ୍ଟାଲ ଚାଉଳ ବଳି ପଡିଥିଲା। ଏହି ଅର୍ପଣ ଚାଉଳକୁ ଟେଣ୍ଡର ପ୍ରକ୍ରିୟାରେ ବିକ୍ରି କରିବା ପାଇଁ ରାଜ୍ୟ ସରକାର ନିକଟରେ ନିଷ୍ପତ୍ତି ନେଇଥିଲେ। ନିମାପଡ଼ାର ଏକ ରାଇସ ମିଲ୍ ଏହି ଚାଉଳକୁ କିଣିଛି ବୋଲି ପୁରୀ ଜିଲ୍ଲାପାଳ ତଥା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଉପମୁଖ୍ୟ ପ୍ରଶାସକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି।