ମଝି ଆକାଶରେ ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ

କାନାଡାରେ ବିମାନର ଜରୁରୀ ଅବତରଣ

ନୂଆଦିଲ୍ଲୀ, ୧୫/୧୦: ମଝି ଆକାଶରେ ଏୟାର ଇଣ୍ଡିଆ ବିମାନକୁ ମିଳିଲା ଧମକପୂର୍ଣ୍ଣ କଲ। ଦିଲ୍ଲୀରୁ ଆମେରିକାର ଚିକାଗୋ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏଆଇ ୧୨୭ ବିମାନକୁ ବୋମାରେ ଉଡାଇଦେବା ପାଇଁ ଧମକ ମିଳିବା ପରେ କାନାଡ଼ାର ଇକାଲୁଇଟ୍ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା। ସମ୍ଭାବ୍ୟ ବିପଦ ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ସତର୍କ କରାଯିବା ପରେ ଦିଲ୍ଲୀରୁ ଚିକାଗୋ ଅଭିମୁଖେ ଉଡ଼ାଣ ଭରିଥିବା ଏୟାର ଇଣ୍ଡିଆର ବିମାନ ଏଆଇ୧୨୭କୁ କାନାଡାରେ ଜରୁରୀକାଳୀନ ଅବତରଣ କରାଯାଇଛି ଏବଂ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ବୋଲି ଏୟାର ଇଣ୍ଡିଆ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ସୋମବାର ମସ୍କଟ ଅଭିଯୁଖେ ଯାଉଥିବା ବିମାନ ୬ଇ ୧୨୭୫ ଏବଂ ଜେଦ୍ଦା ଅଭିମୁଖେ ଯାଉଥିବା ବିମାନ ୬ଇ ୫୬କୁ ବୋମା ଧମକ ମିଳିଥିଲା। ଏହା ପରେ ସତର୍କତାମୂଳକ ପଦକ୍ଷେପ ଅନୁଯାୟୀ, ଆଜି କାନାଡାରେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ଅବତରଣ କରାଯାଇଥିଲା।