ବିଜେପିର ପ୍ରଥମ ସକ୍ରିୟ ସଦସ୍ୟ ଭାବେ ସଦସ୍ୟତା ନବୀକରଣ କଲେ ମୋଦି

ସକ୍ରିୟ ସଦସ୍ୟତା ଅଭିଯାନର ଶୁଭାରମ୍ଭ

ନୂଆଦିଲ୍ଲୀ, ୧୬/୧୦: ଭାରତୀୟ ଜନତା ପାର୍ଟିର ପ୍ରଥମ ସକ୍ରିୟ ସଦସ୍ୟ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ନିଜର ସଦସ୍ୟତା ନବୀକରଣ କରିଛନ୍ତି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେପି ନଡ୍ଡାଙ୍କ ଉପସ୍ଥିତିରେ ସକ୍ରିୟ ସଦସ୍ୟତା ଅଭିଯାନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ତୃଣମୂଳ ସ୍ତରରେ ଦଳକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିବା ସହ ରାଷ୍ଟ୍ରର ପ୍ରଗତିରେ ଯୋଗଦାନ କରିବା ପାଇଁ ୫୦ ଜଣ ସଦସ୍ୟ ପଞ୍ଜୀକରଣ କରିବାକୁ କର୍ମକର୍ତ୍ତାଙ୍କୁ ଅନୁରୋଧ କରିଥିଲେ। ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ବିଜେପିର ସାଂଗଠନିକ ଶକ୍ତି ବୃଦ୍ଧି କରିବା ।

ସେପ୍ଟେମ୍ବର ୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପିର ୨୦୨୪ ସଦସ୍ୟତା ଅଭିଯାନ ‘ସଂଗଠନ ପର୍ବ, ସଦସ୍ୟତା ଅଭିଯାନ ୨୦୨୪’ର ଶୁଭାରମ୍ଭ କରିବା ସହ ଯୁବଗୋଷ୍ଠୀଙ୍କ ସହ ଯୋଡ଼ିହେବା ପାଇଁ ସ୍ବତନ୍ତ୍ର ପ୍ରୟାସ କରିବାକୁ ଦଳୀୟ କର୍ମୀମାନଙ୍କୁ ଅନୁରୋଧ କରିଥିଲେ।

ପ୍ରଥମ ପର୍ଯ୍ୟାୟରେ ୨ ସେପ୍ଟେମ୍ବରରୁ ୨୫ ସେପ୍ଟେମ୍ବର ମଧ୍ୟରେ ୬ କୋଟି ସଦସ୍ୟ ପଞ୍ଜୀକୃତ ହୋଇଥିଲେ। ଅକ୍ଟୋବର ପହିଲାରୁ ୧୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ‘ସଦସ୍ୟତା ଅଭିଯାନ’ର ଦ୍ବିତୀୟ ପର୍ଯ୍ୟାୟ ସଦସ୍ୟତା ଅଭିଯାନ ଚାଲିଛି।