ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସଞ୍ଜୀବ ଖାନ୍ନା

କେନ୍ଦ୍ର ସରକାରଙ୍କୁ ସୁପାରିଶ କଲେ ସିଜେଆଇ ଡିୱାଇ ଚନ୍ଦ୍ରଚୂଡ

ନୂଆଦିଲ୍ଲୀ, ୧୭/୧୦: ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହୋଇପାରନ୍ତି ସଞ୍ଜୀବ ଖାନ୍ନା। ଶ୍ରୀ ଖାନ୍ନାଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ କରିବାକୁ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କେନ୍ଦ୍ର ସରକାରଙ୍କୁ ଆନୁଷ୍ଠାନିକ ଭାବେ ପ୍ରସ୍ତାବ ଦେଇଛନ୍ତି।

ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଆସନ୍ତା ନଭେମ୍ବର ୧୦ ତାରିଖରେ ଅବସର ନେବେ। ୨୦୨୨ ନଭେମ୍ବର ୯ ତାରିଖରୁ ଚନ୍ଦ୍ରଚୂଡ଼ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି। ଯଦି କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳେ ତେବେ ଜଷ୍ଟିସ୍ ଖାନ୍ନା ସୁପ୍ରିମକୋର୍ଟର ଆଗାମୀ ପ୍ରଧାନ ବିଚାରପତି ହେବେ। ଜଷ୍ଟିସ୍ ଖାନ୍ନା ନିଯୁକ୍ତ ହେବାର ୬ ମାସ ପରେ ଅବସର ନେବେ। ୨୦୨୫ ମେ ୩୧ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ରହିବ। ଜଷ୍ଟିସ୍ ଖାନ୍ନା ସୁପ୍ରିମକୋର୍ଟର ୫୧ତମ ପ୍ରଧାନ ବିଚାରପତି ଏବଂ ଦ୍ୱିତୀୟ ବରିଷ୍ଠ ବିଚାରପତି ହେବେ।

୧୯୬୦ରେ ଜନ୍ମିତ ଜଷ୍ଟିସ୍ ଖାନ୍ନା ୧୯୮୩ ମସିହାରେ ଦିଲ୍ଲୀ ବାର କାଉନସିଲରେ ଓକିଲ ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଆୟକର ବିଭାଗର ବରିଷ୍ଠ ସ୍ଥାୟୀ ପରାମର୍ଶଦାତା ଭାବରେ ଦୀର୍ଘ ଦିନ କାର୍ଯ୍ୟ କରିବା ପରେ ୨୦୦୪ରେ ଜଷ୍ଟିସ୍ ଖାନ୍ନାଙ୍କୁ ଦିଲ୍ଲୀର ଷ୍ଟାଣ୍ଡିଂ କାଉନସେଲ (ସିଭିଲ) ଭାବେ ନିଯୁକ୍ତ କରାଯାଇଥିଲା। ୨୦୦୫ରେ ତାଙ୍କୁ ଦିଲ୍ଲୀ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ପଦୋନ୍ନତି ଦିଆଯାଇଥିଲା ଏବଂ ୨୦୦୬ରେ ତାଙ୍କୁ ସ୍ଥାୟୀ ବିଚାରପତି କରାଯାଇଥିଲା। ୨୦୧୯ ଜାନୁଆରୀ ୧୮ରେ ସୁପ୍ରିମ୍ କୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଥିଲେ। ସେ ୨୦୨୩ ଜୁନ୍ ୧୭ରୁ ଡିସେମ୍ବର ୨୫ ପର୍ଯ୍ୟନ୍ତ ସୁପ୍ରିମ୍ କୋର୍ଟ ଆଇନ ସେବା କମିଟିର ଅଧ୍ୟକ୍ଷ ପଦରେ ମଧ୍ୟ ରହିଥିଲେ। ଜଷ୍ଟିସ୍ ଖାନ୍ନା ବର୍ତ୍ତମାନ ଜାତୀୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏବଂ ଭୋପାଳସ୍ଥିତ ଜାତୀୟ ନ୍ୟାୟିକ ଏକାଡେମୀର ଗଭର୍ଣ୍ଣିଂ କାଉନସେଲର ସଦସ୍ୟ ଅଛନ୍ତି।