ଆଜିଠୁ ହରିୟାଣାରେ ନାୟବ ୨.୦ ସରକାର

ହରିୟାଣାରେ ବିଜେପି ଲଗାତାର ତୃତୀୟ ଥର ପାଇଁ କ୍ଷମତାକୁ ଆସିବା ପରେ ଆଜି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନାୟବ ସିଂହ ସୈନୀ

ନୂଆଦିଲ୍ଲୀ, ୧୭/୧୦: ଆଜିଠୁ ହରିୟାଣାରେ ଦ୍ୱିତୀୟ ଥର ପାଇଁ ଆରମ୍ଭ ହେଲା ନାୟବ ସରକାର। ବିଜେପି ନେତା ନାୟବ ସିଂହ ସୈନୀ ଗୁରୁବାର ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ହରିୟାଣା ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ ସୈନୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ସର୍ବାଧିକ ୧୩ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ସୈନୀଙ୍କ ନୂଆ କ୍ୟାବିନେଟର ସଦସ୍ୟମାନେ ହେଲେ: ଅନିଲ ଭିଜ୍, କୃଷ୍ଣ ଲାଲ ପାନୱାର, ରାଓ ନରବୀର ସିଂହ, ମହିପାଲ ଧଣ୍ଡା, ବିପୁଲ ଗୋଏଲ, ଅରବିନ୍ଦ କୁମାର ଶର୍ମା, ଶ୍ରୁତି ଚୌଧୁରୀ, ଶ୍ୟାମ ସିଂ ରଣା, ରଣବୀର ସିଂ ଗଙ୍ଗୱା, କ୍ରିଷନ ବେଦୀ, ଗୌରବ ଗୌତମ, ଆରତି ସିଂ ରାଓ ଏବଂ ରାଜେଶ ନଗର।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହ, ନୀତିନ ଗଡ଼କରୀ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏବଂ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଜେଡିୟୁର ଲଲନ ସିଂହ ଏବଂ ଅନ୍ୟମାନଙ୍କ ଉପସ୍ଥିତିରେ ପଞ୍ଚକୁଲାର ଦଶହରା ପଡ଼ିଆରେ ସୈନୀ ଓ ତାଙ୍କ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିଥିଲେ।

ସୂଚନାଯୋଗ୍ୟ, ମନୋହର ଲାଲ ଖଟ୍ଟର ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ସୈନୀ କିଛି ମାସ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଅକ୍ଟୋବର ୫ରେ ହରିୟାଣା ବିଧାନସଭା ନିର୍ବାଚନରେ ବିଜେପିର ଐତିହାସିକ ବିଜୟ ହାସଲ କରିଥିଲା। ୯୦ଟି ଆସନ ବିଶିଷ୍ଟ ବିଧାନସଭାରେ ୪୮ଟି ଆସନରେ ବିଜୟୀ ହୋଇ ରାଜ୍ୟରେ କ୍ରମାଗତ ତୃତୀୟ ଥର ପାଇଁ କ୍ଷମତାକୁ ଆସିଥିଲା ବିଜେପି। କୁରୁକ୍ଷେତ୍ର ଜିଲ୍ଲାର ଲାଡୱା ଆସନରେ ଲଢ଼ି ବିଜୟୀ ହୋଇଥିବା ୫୪ ବର୍ଷୀୟ ସୈନୀଙ୍କୁ ବୁଧବାର ହରିୟାଣାରେ ସର୍ବସମ୍ମତିକ୍ରମେ ବିଜେପି ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଥିଲା। ଏହାପରେ ସେ ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟଙ୍କୁ ଭେଟି ରାଜ୍ୟରେ ପରବର୍ତ୍ତୀ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ହରିୟାଣାରେ ବିଜେପିର ପ୍ରମୁଖ ଓବିସି ଚେହେରା ସାଇନି ପୂର୍ବରୁ କୁରୁକ୍ଷେତ୍ରରୁ ଲୋକସଭା ସାଂସଦ ଭାବେ ରହିଥିଲେ।