ଆସୁଛି ‘ଦାନା’: ବାତ୍ୟାର ରୂପ ନେବ ଲଘୁଚାପ

୨୪ ତାରିଖ ସକାଳେ ବାତ୍ୟା ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ କେନ୍ଦ୍ର ପୂର୍ବାନୁମାନ କରିଛି।

ସ୍ପଷ୍ଟ କଲେ ଆଇଏମଡି ଡିଜି

ଭୁବନେଶ୍ବର, ୨୦/୧୦: ଗତ କାଲି ପୂର୍ବାହ୍ନରେ କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାପରେ ଅକ୍ଟୋବର ୨୨ ସକାଳ ସୁଦ୍ଧା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଆଣ୍ଡାମାନ ସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା କ୍ରମେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୨ ତାରିଖ ସକାଳେ ଅବପାତର ରୂପ ନେବ। ୨୩ ତାରିଖରେ ଉତ୍ତର କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ବାତ୍ୟାର ରୂପ ନେବ। ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ତାରିଖ ସକାଳେ ବାତ୍ୟା ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ କେନ୍ଦ୍ର ପୂର୍ବାନୁମାନ କରିଛି। ଏହା ପ୍ରଭାବରେ ୨୧ ତାରିଖ ଯାଏଁ ଆଣ୍ଡାମାନ ସାଗରରେ, ୨୧ରୁ ୨୩ ତାରିଖ ଯାଏଁ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ୨୩ରୁ ୨୫ ତାରିଖ ଯାଏଁ ଉତ୍ତର ବଙ୍ଗୋପସାଗର ଅଶାନ୍ତ ରହିବ। ତେଣୁ ୨୫ ତାରିଖ ଯାଏଁ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ଏହା ସହିତ ଜାହାଜ ଚଳାଚଳ ଓ ଡଙ୍ଗା ଚଳାଚଳକୁ ନିୟନ୍ତ୍ରିତ କରାଯିବ।

ବାତ୍ୟା ପ୍ରଭାବରେ ଓଡିଶା, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ବର୍ଷା ଜାରି ରହିବ। ଅକ୍ଟୋବର ୨୩ରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇ ଅକ୍ଟୋବର ୨୪ ଓ ୨୫ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଉପକୂଳ ବର୍ତ୍ତୀ ଜିଲ୍ଲାଗୁଡିକର ଖାଲୁଆ ଅଞ୍ଚଳରେ ଜଳମଗ୍ନ ହେବାର ସମ୍ଭାବନା ରହିଛି। ନଦୀରେ ମଧ୍ୟ ଜଳସ୍ତର ବଢିବାର ସମ୍ଭାବନା ରହିଛି। ୨୩ ତାରିଖ ସନ୍ଧ୍ୟା ପରେ ଉପକୂଳ ଓଡ଼ିଶାରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ୨୪ ତାରିଖ ସୁଦ୍ଧା ବାତ୍ୟା ଲ୍ୟାଣ୍ଡଫଲ୍ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। କତାର ପକ୍ଷରୁ ପ୍ରସ୍ତାବିତ ଏହି ବାତ୍ୟାର ନାମ ‘ଦାନା’ ରଖାଯାଇଛି।