ପୁରୀ-ସାଗର ଦ୍ୱୀପ ମଝିରେ ଲ୍ୟାଣ୍ଡଫଲ କରିବ ‘ଦାନା’

ବାତ୍ୟା ମୁକାବିଲା ପାଇଁ ଏସ୍ଆରସିଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲା ଯାଇଛି।

ଯେକୌଣସି ପରିସ୍ଥିତି ମୁକାବିଲା ପାଇଁ ସରକାର ପ୍ରସ୍ତୁତ: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ବର, ୨୧/୧୦: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଆଣ୍ଡାମାନ ସାଗର ଉପରେ ସୃଷ୍ଟି ଲଘୁଚାପ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୨ ତାରିଖ ସକାଳେ ଅବପାତର ରୂପ ନେବ। ୨୩ ତାରିଖରେ ଉତ୍ତର କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ସାମୁଦ୍ରିକ ଘୂର୍ଣ୍ଣିଝଡ ପୁର୍ଣ୍ଣାଙ୍ଗ ବାତ୍ୟାର ରୂପ ନେବ। ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ତାରିଖ ରାତି କିମ୍ବା ୨୫ ତାରିଖ ଭୋରରୁ ବାତ୍ୟା ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଛୁଇଁବ।

ପୁରୀ ଓ ସାଗର ଦ୍ୱୀପ ମଝିରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ଦାନା’। ଏ ନେଇ ୨୩ରୁ ୨୫ ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବାତ୍ୟା ଲ୍ୟାଣ୍ଡଫଲ କରିବା ସମୟରେ ଘଣ୍ଟାକୁ ୧୦୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି। ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଓ ଯାଜପୁର ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି। ବାତ୍ୟା ମୁକାବିଲା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି।

ବାତ୍ୟାର ମୁକାବିଲା ପାଇଁ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଶ୍ରୀ ପୂଜାରୀ କହିଛନ୍ତି ଯେ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସଜାଗ ରହିଛି। ଅତୀତରେ ଓଡ଼ିଶାବାସୀ ବାତ୍ୟା, ବନ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି। ଉପକୂଳବର୍ତ୍ତୀ ଅଞ୍ଚଳରେ ଲୋକମାନେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଛି। ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ବାତ୍ୟା ଯୋଗୁଁ ବେଶୀ ପବନ ନେଇ ଭୟଭୀତ ହେବାର ନାହିଁ। ପ୍ରବଳ ବର୍ଷା ହୋଇପାରେ। ବର୍ଷା ହେଲେ ଜଳବନ୍ଦୀ ହେବାର ସମ୍ଭାବନା ରହିଛି। ତେଣୁ ଓଡ୍ରାଫ, ଏନଡିଆରଏଫ ଟିମ୍ ଓ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

କ୍ରମାଗତ ଭାବେ ପରିସ୍ଥିତିର ଆକଳନ କରାଯାଉଛି। ଜିଲ୍ଲାପାଳ ଏବଂ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି)ଙ୍କ ସମେତ ବିଭିନ୍ନ ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରୁଛୁ, ଯାହାଦ୍ୱାରା ବାତ୍ୟାର ସମ୍ଭାବ୍ୟ ପ୍ରଭାବ ବିଷୟରେ ସମସ୍ତଙ୍କୁ ଅବଗତ କରାଯିବ। ସବୁ ଜିଲ୍ଲାପାଳମାନଙ୍କୁ ବାତ୍ୟା ପ୍ରଭାବିତ ଜୋନ ବିଷୟରେ ଅବଗତ କରାଯାଇଛି ଏବଂ ପୂର୍ବ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରେଡ୍ ଓ ୟେଲୋ ୱାର୍ଣ୍ଣିଂ ସହ କମ୍ ପ୍ରଭାବିତ ଅଞ୍ଚଳରେ ସମସ୍ତ ଜିଲ୍ଲାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।

ବାତ୍ୟା ଯାଏଁ ସବୁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ଯେଉଁମାନେ ଛୁଟିରେ ଅଛନ୍ତି, ସେମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ସନ୍ଧ୍ୟା ୬ଟାରେ ସ୍ୱାସ୍ଥ୍ୟ, କୃଷି ଓ ଜରୁରୀକାଳୀନ ସେବା ସମେତ ବିଭିନ୍ନ ବିଭାଗକୁ ନେଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ପାଇଁ ଏକ ବୈଠକ ବସିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି।