ଜମ୍ମୁ-କଶ୍ମୀରରେ ୬ ଜଣଙ୍କୁ ହତ୍ୟା ଘଟଣା: ଆକ୍ରମଣ ପଛରେ ଲସ୍କର-ଇ-ତୋଏବାର ହାତ

ଶେଖ ସଜ୍ଜାଦ ଗୁଲ ମାଷ୍ଟରମାଇଣ୍ଡ

ନୂଆଦିଲ୍ଲୀ, ୨୧/୧୦: ଜମ୍ମୁ-କଶ୍ମୀରର ଗାନ୍ଦରବାଲ୍ ଜିଲ୍ଲା ସୋନମାର୍ଗ ଅଞ୍ଚଳରେ ଗତ ରବିବାର ସନ୍ଧ୍ୟାରେ ଜଣେ ଡାକ୍ତର ଓ ୬ ଜଣ ପ୍ରବାସୀ ଶ୍ରମିକଙ୍କ ହତ୍ୟା ଘଟିଥିବା ଘଟଣାରେ ଆକ୍ରମଣକାରୀଙ୍କ ତଥ୍ୟ ସାମନାକୁ ଆସିଛି। ଏହି ଆକ୍ରମଣ ପାଇଁ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବାର ଏକ ଶାଖା ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ୍) ନିଜକୁ ଦାୟୀ କରିଛି।

ଶ୍ରୀନଗରନିବାସୀ ଟିଆରଏଫ ମୁଖ୍ୟ ଶେଖ ସଜ୍ଜାଦ ଗୁଲ ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ହୋଇଥିବା ବେଳେ ସଂଗଠନ ସହ ଜଡ଼ିତ ଜଣେ ସ୍ଥାନୀୟ ବ୍ୟକ୍ତି ତାଙ୍କ ନିର୍ଦ୍ଦେଶରେ ପ୍ରଥମ ଥର ପାଇଁ କାଶ୍ମୀରୀ ଏବଂ ଅଣ-କାଶ୍ମୀରବାସୀଙ୍କୁ ଟାର୍ଗେଟ କରି ଆକ୍ରମଣ କରିଛି। ୨୦୨୨ରେ ଶେଖ ସଜ୍ଜାଦ ଗୁଲ ସମେତ ୪ ଆତଙ୍କବାଦୀଙ୍କୁ ଧରାଇଦେବା ପାଇଁ ମୁଣ୍ଡ ପିଛା ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା ଏନଆଇଏ। ମାସେ ଧରି ଗାନ୍ଦରବାଲ୍ ଜିଲ୍ଲାର ସୋନମାର୍ଗ ଅଞ୍ଚଳରେ ଥିବା ଆକ୍ରମଣ ସ୍ଥଳୀରେ ଏକ ବଡ ଧରଣର ହାମଲା ପାଇଁ ରେକି କରିଥିଲା ଟିଆରଏଫ। ଏକ ନିର୍ମାଣାଧୀନ ସୁଡ଼ଙ୍ଗ ନିକଟରେ ଗୁଳିକାଣ୍ଡ କରିଥିଲେ ଆତଙ୍କୀ। ଏଥିରେ ଜଣେ ଡାକ୍ତରଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ଆହତ ହୋଇଛନ୍ତି।

ଗତ ୧୬ ତାରିଖରେ ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଓମାର ଅବଦୁଲ୍ଲା ଶପଥ ନେବା ପରେ ଏହା ପ୍ରଥମ ଆତଙ୍କୀ ହାମଲା। ତେବେ କାଶ୍ମୀରବାସୀଙ୍କ ବ୍ୟତୀତ ଏହା ପ୍ରଥମ ଥର ଅଣକାଶ୍ମୀର ଲୋକଙ୍କୁ ମଧ୍ୟ ଆକ୍ରମଣ ହୋଇଛି।