ଭୀଷଣ ରୂପ ନେବ ‘ଦାନା’

କ୍ଷୟକ୍ଷତି ପୂର୍ବରୁ ସଜାଗ ସରକାର

ଭୁବନେଶ୍ବର, ୨୨/୧୦: ବଳ ଗୋଟାଉଛି ବାତ୍ୟା ଦାନା। ବାତ୍ୟାରେ କ୍ଷୟକ୍ଷତି ଆକଳନ ଦୃଷ୍ଟିରୁ ରାଜ୍ୟରେ ତୁରନ୍ତ ସହାୟତା ଓ ଫସି ରହିଥିବା ଲୋକଙ୍କୁ ସ୍ଥାନାନ୍ତରଣ କରିବା ପାଇଁ ହେଲିକପ୍ଟର ମୁତୟନ କରାଯିବ। ଉପକୂଳ ଜିଲ୍ଲାଗୁଡିକରେ ଆବଶ୍ୟକ ପଡ଼ିଲେ ହେଲିକପ୍ଟର ମୁତୟନ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଶ୍ରୀ ପୂଜାରୀ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ତ ପ୍ରକାର ମାନବୀୟ ସୁବିଧା ଯୁକ୍ତ ରିଲିଫ ସେଣ୍ଟର ପ୍ରସ୍ତୁତ ହୋଇଛି।ବିଭିନ୍ନ ଆଶ୍ରୟସ୍ଥଳୀ ବାହାରେ ଆହୁରି ୫୦୦ ଅସ୍ଥାୟୀ ଆଶ୍ରୟସ୍ଥଳୀ ଖୋଲା ଯାଇଛି। ଗର୍ଭବତୀମାନଙ୍କୁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ। ଆଶ୍ରିତ ଲୋକଙ୍କୁ ରନ୍ଧା ଖାଦ୍ୟ ଏବଂ ଜରୁରୀ ସମୟରେ ଚିକିତ୍ସା ଯୋଗାଇ ଦିଆଯିବ। ବାତ୍ୟା ପ୍ରଭାବିତ ସ୍ଥାନରେ ପୋଲିସ ପାଟ୍ରୋଲିଂ କରିବା ସହିତ ପ୍ରଶାସନ ପକ୍ଷରୁ ଚୂଡାନ୍ତ ପଦକ୍ଷେପ ନିଆଯିବ।

ବାତ୍ୟା ପ୍ରଭାବରେ କ୍ଷୟକ୍ଷତି ଆଶଙ୍କା ଦୃଷ୍ଟିକୋଣରୁ ଜିଲ୍ଲାଗୁଡ଼ିକରେ ଶକ୍ତି ଗ୍ରିଡ୍ ଏବଂ ଜରୁରୀକାଳୀନ ଟ୍ରାନ୍ସମିସନ୍ ଟାୱାର ଉପରେ ତୀକ୍ଷ୍ଣ ନଜର ରଖିଛି ଶକ୍ତି ବିଭାଗ। ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଓ କଟକରେ ବିଦ୍ୟୁତ ବିତରଣ କମ୍ପାନିଗୁଡ଼ିକ ସେମାନଙ୍କ ନିର୍ବାହୀ ଯନ୍ତ୍ରୀ ଓ ଏସଡିପିଓଙ୍କୁ ସତର୍କ କରାଇଛନ୍ତି। ଜିଲ୍ଲାରେ ଥିବା ସମସ୍ତ ସମ୍ବେଦନଶୀଳ ଗ୍ରିଡ୍ ଏବଂ ଜରୁରୀକାଳୀନ ଟ୍ରାନ୍ସମିସନ ଟାୱାରଗୁଡ଼ିକର ମ୍ୟାପିଂ କରାଯାଉଛି। ସମ୍ଭାବ୍ୟ ବାତ୍ୟାରେ ଯେକୌଣସି ପ୍ରକାର କ୍ଷୟକ୍ଷତିର ମରାମତି ଓ ପୁନରୁଦ୍ଧାର ପାଇଁ ମାନବ ସମ୍ବଳ ରଖାଯାଇଛି ବୋଲି ଓଡ଼ିଶା ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଗଣମାଧ୍ୟମକୁ କହିଛନ୍ତି।