ବାତ୍ୟା ପ୍ରଭାବ: ସ୍କୁଲ ପରେ ଏବେ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ଘୋଷଣା

ଉଚ୍ଚଶିକ୍ଷା ବିଭାଗ ସଚିବଙ୍କୁ ଚିଠି ଲେଖିଲେ ଏସ୍ଆରସି

ଭୁବନେଶ୍ବର, ୨୨/୧୦: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଦାନା’କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାର ଅର୍ଥାତ୍ ଅକ୍ଟୋବର ୨୩ରୁ ଶୁକ୍ରବାର ଅର୍ଥାତ୍ ୨୫ ତାରିଖ ପର୍ଯ୍ୟନ୍ତ ୧୪ଟି ଜିଲ୍ଲାର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟକୁ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ଏହି ୧୪ ଜିଲ୍ଲା ଗୁଡିକ ହେଉଛି ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ,କେନ୍ଦୁଝର, ଢେଙ୍କାନାଳ, ଯାଜପୁର ଓ ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼ ଓ କଟକ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ସଚିବଙ୍କୁ ଚିଠି ଲେଖି ଆବଶ୍ୟକ ପଦକ୍ଷେପ ନେବାକୁ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି।

ଏହା ପୂର୍ବରୁ ବାତ୍ୟା ପ୍ରଭାବିତ ହେବାକୁ ଥିବା ୧୪ ଜିଲ୍ଲାଗୁଡ଼ିକରେ ସମସ୍ତ ସ୍କୁଲକୁ ୩ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଭୁବନେଶ୍ବର ସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆଜି ଏକ ଲଘୁଚାପରେ ପରିଣତ ହୋଇଛି, ଯାହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅକ୍ଟୋବର ୨୩ ସୁଦ୍ଧା ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହେବ। ଏହା ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ଅକ୍ଟୋବର ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳେ ପୁରୀ ଓ ସାଗର ଦ୍ୱୀପ ମଧ୍ୟରେ ଗତି କରି ସ୍ଥଳଭାଗ ଛୁଇଁବ।