କେନ୍ଦ୍ରମନ୍ତ୍ରୀଙ୍କ ଅଷ୍ଟ୍ରେଲିଆ ଗସ୍ତର ଅନ୍ତିମ ଦିନ

• ଭାରତୀୟ ସମାଜ ଓ ବଜାର ପାଇଁ ଷ୍ଟାର୍ଟଅପ୍ ଗୁଡ଼ିକୁ ବିକଶିତ କରିବା ଉପରେ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। • ଅଷ୍ଟ୍ରେଲିଆରେ ଅଧ୍ୟୟନରତ ଭାରତୀୟ ଛାତ୍ରଛାତ୍ରୀ ଓ ବରିଷ୍ଠ ଗବେଷକଙ୍କ ସହ ସାକ୍ଷାତ୍ ଆଲୋଚନା। • ମ୍ୟାକ୍ୱାରି ପାର୍କ ଇନୋଭେସନ୍ ଡିଷ୍ଟ୍ରିକ୍ଟ ପରିଦର୍ଶନ କରିବା ସହ ଗବେଷକ ଏବଂ ଉଦ୍ୟମିତାଙ୍କ ଆଇଡିଆକୁ ବିକଶିତ କରିବା ଦିଗରେ ବିଶ୍ୱବିଦ୍ୟାଳୟର କାର୍ଯ୍ୟକୁ କଲେ ପ୍ରଶଂସା। • ୟୁନିଭରସିଟି ଅଫ୍ ନ୍ୟୁ ସାଉଥ ଓ୍ୱେଲ୍ସର ବିଭିନ୍ନ ବିଦ୍ୟାଳୟ ଦ୍ୱାରା ପରିଚାଳିତ ଷ୍ଟାର୍ଟଅପ୍ ଗୁଡ଼ିକର ମୁଖ୍ୟ ଏବଂ ଅନ୍ୟ ସଦସ୍ୟଙ୍କ ସହ ଆଲୋଚନା। • କ୍ରୀଡ଼ା ଶିକ୍ଷା ଓ କ୍ରୀଡ଼ା ଗବେଷଣା କ୍ଷେତ୍ରରେ ସହଯୋଗ ଲୋଡ଼ିବା ପାଇଁ ୟୁଟିଏସ୍ ମୁର୍ ପାର୍କ ପରିଦର୍ଶନ କଲେ।

‘ଗ୍ରୁପ୍ ଅଫ୍ ୮’ କାର୍ଯ୍ୟକ୍ରମରେ ଯୋଗଦେଲେ ଧର୍ମେନ୍ଦ୍ର

ସିଡନୀ/ଅଷ୍ଟ୍ରେଲିଆ, ୨୫/୧୦: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଷ୍ଟ୍ରେଲିଆ ଗସ୍ତର ଅନ୍ତିମ ଦିନରେ ଗବେଷଣା କ୍ଷେତ୍ରରେ ଅଧ୍ୟୟନ କରୁଥିବା ଭାରତୀୟ ଛାତ୍ରଛାତ୍ରୀ ଏବଂ ବରିଷ୍ଠ ଗବେଷକଙ୍କୁ ଭେଟି ଦୁଇ ଦେଶର ଶିକ୍ଷା ବ୍ୟବସ୍ଥା ଓ ଗବେଷଣା ଉପରେ ଆଲୋଚନା କରିଛନ୍ତି । ଏହାସହ ଅଷ୍ଟ୍ରେଲିଆର କେତୋଟି ପ୍ରମୁଖ ବିଶ୍ୱବିଦ୍ୟାଳୟ ଗୁଡିକରେ ଥିବା ଟେକ୍ନୋଲୋଜି ଓ କ୍ରୀଡ଼ା ଆଧାରିତ ଅଭିନବ କ୍ୟାମ୍ପସ ଓ ଅନୁଷ୍ଠାନ ପରିଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଅଷ୍ଟ୍ରେଲିଆର ଗବେଷଣାଭିତ୍ତିକ ବିଶ୍ୱବିଦ୍ୟାଳୟସମୂହ ‘ଗ୍ରୁପ୍ ଅଫ୍ ୮’ ଏବଂ ‘ୟୁନିଭରସିଟି ଅଫ୍ ନ୍ୟୁ ସାଉଥ ଓ୍ୱେଲ୍ସ’ ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଅଷ୍ଟ୍ରେଲିଆରେ ଅଧ୍ୟୟନ କରୁଥିବା ଭାରତୀୟ ଛାତ୍ରଛାତ୍ରୀ ଓ ଗବେଷକଙ୍କ ସହ ଶିକ୍ଷା ମନ୍ତ୍ରୀ ସାକ୍ଷାତ୍ ଆଲୋଚନା କରିଛନ୍ତି । ରୋବୋଟିକ୍ସ, କେମିକାଲ୍ସ, ଆଷ୍ଟ୍ରୋଫିଜିକ୍ସ, ସୁପର-କଣ୍ଡକ୍ଟିଭିଟି, ବିନିର୍ମାଣ କ୍ଷେତ୍ରରେ ଏଆଇ, ସ୍ୱାସ୍ଥ୍ୟସେବା, ମେଡ୍ ଟେକ୍, ଜଳବାୟୁ ପରିବର୍ତ୍ତନ, ଓ୍ୱାଟର ମ୍ୟାନେଜମେଣ୍ଟ ଏବଂ ଅର୍ବାନ ପ୍ଲାନି କ୍ଷେତ୍ରରେ ଅତ୍ୟାଧୁନିକ ଗବେଷଣା ଉପରେ ଭାରତର ଛାତ୍ରଛାତ୍ରୀ ଏବଂ ଗବେଷକମାନେ କାର୍ଯ୍ୟ କରୁଥିବା ଜାଣି ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଥିଲେ । ସେ କହିଥିଲେ ଗବେଷଣା ସହଯୋଗ ହେଉଛି ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ଥିବା ସମ୍ପର୍କର ମୂଳ ଆଧାର । ଆଜିର ସାକ୍ଷାତ୍ ଆଲୋଚନା କାର୍ଯ୍ୟକ୍ରମ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବ୍ୟାପକ ଏବଂ ଗଭୀର ଗବେଷଣା ସହଯୋଗର ଆବଶ୍ୟକତାକୁ ଆଗକୁ ନେବା ପାଇଁ ଏକ ଭଲ ସୂଚନା ପ୍ରଦାନ କରିଛି ।

ଶ୍ରୀ ପ୍ରଧାନ ସିଡନୀ ସ୍ଥିତ ମ୍ୟାକ୍ୱାରି ବିଶ୍ୱବିଦ୍ୟାଳୟ ପରିସରରେ ଥିବା ମ୍ୟାକ୍ୱାରି ପାର୍କ ଇନୋଭେସନ୍ ଡିଷ୍ଟ୍ରିକ୍ଟ (ଏମପିଆଇଡି) ପରିଦର୍ଶନ କରିଥିଲେ । ଗବେଷକ ଏବଂ ଉଦ୍ୟମିତାଙ୍କ ଆଇଡିଆକୁ ବିକଶିତ କରିବା ଦିଗରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦିଆଯାଉଥିବା ସହଯୋଗକୁ ସେ ପ୍ରଶଂସା କରିଥିଲେ । ସେହିପରି ୟୁନିଭରସିଟି ଅଫ୍ ନ୍ୟୁ ସାଉଥ ଓ୍ୱେଲ୍ସ (ୟୁଏନଏସଡବ୍ଲ୍ୟୁ)ର ବିଭିନ୍ନ ବିଦ୍ୟାଳୟ ଦ୍ୱାରା ପରିଚାଳିତ ଷ୍ଟାର୍ଟଅପ୍ ଗୁଡ଼ିକର ମୁଖ୍ୟ ଏବଂ ଅନ୍ୟ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ସମାଜରେ ସକରାତ୍ମକ ପରିବର୍ତ୍ଅନ ଆଣିବା ପାଇଁ ଷ୍ଟାର୍ଟଅପ ଗୁଡିକର କାର୍ଯ୍ୟକୁ ପ୍ରଶଂସା କରିବା ସହ ଭାରତୀୟ ସମାଜ ଏବଂ ବଜାର ପାଇଁ ଥିବା ସମସ୍ୟାର ସମାଧାନ ପାଇଁ ଷ୍ଟାର୍ଟଅପ୍ ଗୁଡ଼ିକୁ ବିକଶିତ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ ।

ଶ୍ରୀ ପ୍ରଧାନ କ୍ରୀଡ଼ା ଶିକ୍ଷା ଓ କ୍ରୀଡ଼ା ଗବେଷଣା କ୍ଷେତ୍ରରେ ସହଯୋଗ ଲୋଡ଼ିବା ପାଇଁ ସିଡନୀ ସ୍ଥିତ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି କ୍ୟାମ୍ପସ ପରିସରରେ ଥିବା ୟୁଟିଏସ୍ ମୁର୍ ପାର୍କ ଗସ୍ତ କରିଥିଲେ । ୟୁଟିଏସର ମୁର ପାର୍କ ପରିସର ହେଉଛି ଏକ ଅତ୍ୟାଧୁନିକ ଶିକ୍ଷାଦାନ, ଗବେଷଣା ଏବଂ କ୍ରୀଡ଼ା ସୁବିଧା ଯୁକ୍ତ ଅନୁଷ୍ଠାନ । ଏହି ଶିକ୍ଷାନୁଷ୍ଠାନରେ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମ ଗୁଡିକ ଖେଳ ସହ ଜଡ଼ିତ ଥିବାର ଅଭିନବ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଅତ୍ୟାଧୁନିକ କ୍ରୀଡ଼ା ପରିଚାଳନା ଏବଂ ଗବେଷଣା କାର୍ଯ୍ୟକ୍ରମ ପ୍ରଦାନ ଦିଗରେ ୟୁଟିଏସ୍ କିପରି ଭାରତୀୟ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ସହ ଭାଗିଦାରୀ କରିପାରିବ ସେ ବିଷୟରେ ଆଲୋଚନା କରିଥିଲେ । ଏହି ସବୁ କାର୍ଯ୍ୟକ୍ରମରେ ଯୋଗଦେବା ପରେ କେନ୍ଦ୍ରମନ୍ତ୍ରୀ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି ।