ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ପ୍ରଭାବିତ ଜିଲ୍ଲା ଗସ୍ତ ସ୍ଥଗିତ

ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିଥାନ୍ତେ ସିଏମ୍

ଭୁବନେଶ୍ବର, ୨୬/୧୦: ବାତ୍ୟା ପ୍ରଭାବିତ ଜିଲ୍ଲା ଗସ୍ତ ସ୍ଥଗିତ କଲେ ମୁଖ୍ୟମନ୍ତ୍ରୀ। ଆକାଶମାର୍ଗରୁ ସର୍ଭେ କରିବାର କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ବାତ୍ୟା ପରେ ଉପକୂଳ ଜିଲ୍ଲାଗୁଡିକରେ ବର୍ଷା ଲାଗି ରହିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସ୍ଥଗିତ ରଖାଯାଇଛି। ଆସନ୍ତାକାଲି ପାଗ ଅନୁକୂଳ ରହିଲେ, ଆକାଶମାର୍ଗରୁ କ୍ଷୟକ୍ଷତି ଆକଳନ କରିବେ ଏବଂ କ୍ଷୟକ୍ଷତି ଭରଣା ପାଇଁ କେନ୍ଦ୍ର ନିକଟରେ ଦାବି ଉପସ୍ଥାପନ କରିବେ। ଆଜି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ ଅଧିକାରୀମାନଙ୍କ ସହ ବୈଠକ ହେବ। ବାତ୍ୟା ପରବର୍ତ୍ତୀ ସ୍ଥିତି ନେଇ ସମୀକ୍ଷା କରିବେ।

ସୂଚନାଯୋଗ୍ୟ, ବାତ୍ୟା ‘ଦାନା’ ପ୍ରଭାବିତ ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ଆକଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆକାଶମାର୍ଗରୁ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଥିଲା। ପୂର୍ବାହ୍ନ ୧୧ଟା ୩୫ରୁ ହେଲିକପ୍ଟର ଯୋଗେ ଏହି ସର୍ଭେ କରାଯାଇଥାନ୍ତା। ଗତକାଲି ଏସ୍ଆରସିଙ୍କ କାର୍ଯ୍ୟାଳୟରେ ଅଧିକାରୀମାନଙ୍କ ସହ ବୈଠକ କରି ବାତ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଥିଲେ। ୭ ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ।