ବାତ୍ୟା ଆଣିଲା ବନ୍ୟା ସ୍ଥିତି

ବାହ୍ୟ ଜଗତରୁ ବିଚ୍ଛିନ୍ନ ବାଲେଶ୍ୱରର ୧୦ ଗାଁ

ଭୁବନେଶ୍ବର, ୨୬/୧୦: ବାତ୍ୟା ଦାନା ଯୋଗୁଁ ରାଜ୍ୟର କେତେକ ସ୍ଥାନରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ବାତ୍ୟା ଦାନା ପରେ ରାଜ୍ୟର ଉପକୂଳ ଜିଲ୍ଲାରେ ଜାରି ରହିଛି ଲଗାଣ ବର୍ଷା। ଲଗାଣ ବର୍ଷା ଫଳରେ ବ୍ୟାପକ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ବାଲେଶ୍ୱରର ତଳିଆ ଅଞ୍ଚଳରେ ଜଳମଗ୍ନ ହୋଇଥିବାରୁ ପ୍ରାୟ ୧୦ଟି ଗାଁ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବୁଢ଼ାବଳଙ୍ଗ ଓ ସୋନ ନଦୀରେ ବନ୍ୟା ଜଳ ସ୍ତର ବୃଦ୍ଧି ପାଇଥିବା ହେତୁ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷ କରି ରେମୁଣାର ନୀଳଗିରି, ବେଗୁନିଆ, କଂସ, କାଠପୋଲ ଓ କଲ୍ୟାଣପୁର ଆଦି ଗାଁରେ ବନ୍ୟା ପରିସ୍ଥିତି ଉପୁଜିଛି। ଏହାବ୍ୟତୀତ ନୀଳଗିରି ବ୍ଲକ ଓ ବେଗୁନିଆ ପଞ୍ଚାୟତ ଅଧୀନରେ ଆସୁଥିବା ଅଞ୍ଚଳ ବନ୍ୟା ପାଣିରେ ବୁଡ଼ି ରହିଛି। ସେହିପରି ବେଗୁନିଆ, ମିତ୍ରପୁର, କଲ୍ୟାଣୀ, ସିଙ୍ଗିରି, ତୋଟାପଡ଼ା, ଲଛନପୁର, ଶଂଶପାଳ, ନିଶଙ୍କପୁର, ଟିକିରାପାଳ ଓ ଦୁବତୀ ଆଦି ଅଞ୍ଚଳରେ ବନ୍ୟା ପାଣି ପଶି ଥିବାରୁ ଏହି ଗାଁ ଗୁଡିକ କ୍ଷତିଗ୍ରସ୍ତ ହୋଇଛି।

ନଦୀଗୁଡ଼ିକ ଫୁଲିବାରୁ ବନ୍ୟା ଆଶଙ୍କାକୁ ନେଇ ଆଖପାଖ ଅଞ୍ଚଳବାସୀ ଚିନ୍ତାରେ ପଡ଼ିଯାଇଛନ୍ତି। ସେପ୍ଟେମ୍ବର ମାସରେ ଆସିଥିବା ବନ୍ୟାରେ ବାଲେଶ୍ୱରର ହଜାର ହଜାର ହେକ୍ଟର ଜମିର ସମ୍ପତ୍ତି ଓ ଫସଲ ନଷ୍ଟ ହୋଇସାରିଛି। ତେଣୁ ଏବେ ପୁଣି ଥରେ ବନ୍ୟା ପରିସ୍ଥିତି ଉପୁଜିଲେ ଚାଷୀକୂଳ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହେବେ।

ଏତଦବ୍ୟତୀତ, ନୀଳଗିରିର ପଞ୍ଚଲିଙ୍ଗେଶ୍ୱର ମନ୍ଦିରରେ ପାଣି ପଶି ଯାଇଥିବାରୁ ଭକ୍ତଙ୍କ ପାଇଁ ମନ୍ଦିର ଦର୍ଶନ ବନ୍ଦ ରହିଛି। ସେହିପରି ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଅକ୍ଟୋବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ପାର୍କ ବନ୍ଦ ରହିବାକୁ ଧାର୍ଯ୍ୟ କରାଯାଇଥିବା ବେଳେ ଏବେ ଏହାକୁ ଅକ୍ଟୋବର ୨୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।