ଦୁଇଟି ଶବ୍ଦ ମିଶି ହୋଇଛି ‘ଧନତେରସ’। ‘ଧନ’ର ଅର୍ଥ ‘ଧନ ଦୌଲତ’ ବା ‘ସମ୍ପତ୍ତି’ ଏବଂ ‘ତେରସ’ର ଅର୍ଥ ‘୧୩ତମ ଦିନ’। ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଧନତେରସ କାର୍ତ୍ତିକ ମାସର କୃଷ୍ଣପକ୍ଷର ତ୍ରୟୋଦଶ ଦିବସରେ ପଡେ। ସାଧାରଣତଃ ଦୀପାବଳିର ଗୋଟିଏ କିମ୍ବା ଦୁଇ ଦିନ ପୂର୍ବରୁ ଏହି ଦିନ ପଡ଼େ। ଯାହାକୁ ନେଇ ସାରା ଭାରତ ବର୍ଷ ଉତ୍ସବ ମନାଇଥାଏ। ‘ଧନତେରସ’ ଦିନକୁ ଧନତରୟୋଦଶୀ ବା ଧନ୍ୱନ୍ତରୀ ତ୍ରୟୋଦଶୀ ମଧ୍ୟ କୁହାଯାଏ।
ଧନତେରସ ହେଉଛି ଧନବନ୍ତରୀଙ୍କ ପୂଜା। ହିନ୍ଦୁ ପରମ୍ପରା ଅନୁଯାୟୀ, ସମୁଦ୍ର ମନ୍ଥନ ସମୟରେ ଧନ୍ବନ୍ତରୀଙ୍କ ଆବିର୍ଭାବ ହୋଇଥିଲା, ଗୋଟିଏ ହାତରେ ଅମୃତ ଭର୍ତ୍ତି ପାତ୍ର ଏବଂ ଅନ୍ୟ ହାତରେ ଆୟୁର୍ବେଦ ବିଷୟରେ ପବିତ୍ର ଗ୍ରନ୍ଥ ଧରି ଆବିର୍ଭାବ ହୋଇଥିଲେ। ତେଣୁ ତାଙ୍କୁ ଦେବମାନଙ୍କର ଡାକ୍ତର ବୋଲି ବିବେଚନା କରାଯାଏ।
ଧନତେରସ ଅବସରରେ ପୂଜା ପାଉଥିବା ଧନ୍ୱନ୍ତରୀଙ୍କୁ ଆୟୁର୍ବେଦର ଦେବତା ଭାବରେ ବିବେଚନା କରାଯାଏ। ସମଗ୍ର ମାନବ ଜାତିର ଉନ୍ନତି ପାଇଁ ଏବଂ ମାନବ ଜାତିକୁ ରୋଗ ଦାଉରୁ ମୁକ୍ତି କରିବା ପାଇଁ ଆୟୁର୍ବେଦର ଜ୍ଞାନ ପ୍ରଦାନ କରିଥିଲେ। ଭାରତୀୟ ଆୟୁର୍ବେଦ, ଯୋଗ ଓ ପ୍ରାକୃତିକ ଚିକିତ୍ସା ଓ ହୋମିଓପାଥି ମନ୍ତ୍ରଣାଳୟ ଧନତେରସ ଦିନକୁ “ଜାତୀୟ ଆୟୁର୍ବେଦ ଦିବସ” ଭାବରେ ମଧ୍ୟ ପାଳନ କରିବାକୁ ଘୋଷଣା କରିଥିଲେ, ଯାହା ପ୍ରଥମେ ୨୮ ଅକ୍ଟୋବର ୨୦୧୬ରେ ପାଳନ କରାଯାଇଥିଲା।
ଭାରତୀୟ ପରମ୍ପରା ଅନୁଯାୟୀ, ଏହି ଦିନ ଧନର ଦେବୀ ଲକ୍ଷ୍ମୀ ଏବଂ ଜ୍ଞାନର ଦେବତା ଶ୍ରୀ ଗଣେଶଙ୍କୁ ପୂଜା କରାଯାଏ। ଏହି ଦିନ ଧନର ଦେବତା କୁବେରଙ୍କୁ ପୂଜା କରାଯାଏ। ଏହି ଦିନ ଲୋକମାନେ ଜୀବନରେ ସୁଖ, ସମୃଦ୍ଧି ଓ ସୌଭାଗ୍ୟ ଆଣିବା ପାଇଁ ବାସନ ଓ ଅଳଙ୍କାର କିଣିଥାନ୍ତି। ମା’ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରାଇବା ପାଇଁ ସନ୍ଧ୍ୟାରେ ଦୀପ ଜାଳିବା ସହ ଭଜନ ଗାନ କରାଯାଏ।
ଭାରତରେ ବିଶେଷ କରି ହିନ୍ଦୁ ମାନଙ୍କ ମଧ୍ୟରେ ଘରକୁ କୌଣସି ନୂତନ ଜିନିଷ କ୍ରୟ କରି ଆଣିଲେ ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଧାତୁ ନିର୍ମିତ ସାମଗ୍ରୀ ଯେପରିକି ସୁନା କିମ୍ବା ରୂପା ସାମଗ୍ରୀ କିମ୍ବା ଅଳଙ୍କାର ଏବଂ ପିତ୍ତଳରେ ତିଆରି ନୂଆ ବାସନକୁସନ କିଣିବା ପାଇଁ ହିନ୍ଦୁମାନେ ଏହାକୁ ଅତ୍ୟନ୍ତ ଶୁଭ ଦିନ ବୋଲି ବିବେଚନା କରନ୍ତି। ବିଶ୍ୱାସ କରାଯାଏ ଯେ ମୂଲ୍ୟବାନ ଧାତୁରେ ନିର୍ମିତ କୌଣସି ନୂତନ ଜିନିଷ କିଣିବା ସୌଭାଗ୍ୟର ସଙ୍କେତ ଅଟେ। ଆଧୁନିକ ଯୁଗରେ ଧନତେରସ ସୁନା, ରୂପା ଏବଂ ଅନ୍ୟାନ୍ୟ ଧାତୁ ସାମଗ୍ରୀ କିଣିବା ପାଇଁ ସବୁଠାରୁ ଶୁଭ ଅବସର ଭାବରେ ଜଣାଶୁଣା।
ଚଳିତ ବର୍ଷ ଧନତେରସ ଅକ୍ଟୋବର ୨୯ ତାରିଖ ଦିନ ୧୦.୩୦ରୁ ଆରମ୍ଭ ହୋଇ ୩୦ ତାରିଖ ଅପରାହ୍ନ ୧ଟା ପର୍ଯ୍ୟନ୍ତ ରହିଛି।