ଚିକିତ୍ସା ନ ହେବାରୁ କିରାଣୀଙ୍କ ଗର୍ଭ ନଷ୍ଟ ପ୍ରସଙ୍ଗ

କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସହ କଥା ହୋଇ ତ୍ୱରିତ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା।

ତ୍ୱରିତ ତଦନ୍ତ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୨୯/୧୦: ଆଜି କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅଧୀନସ୍ଥ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ସ୍ନେହଲତା ସାହୁଙ୍କ ଅବହେଳା ପାଇଁ ତାଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣୀ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ରଙ୍କ ୭ ମାସର ଗର୍ଭ ନଷ୍ଟ ହେବା ଘଟଣାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ସ୍ମୃତିରଞ୍ଜନ ପ୍ରଧାନଙ୍କ ସହ ମୋବାଇଲ ଯୋଗେ କଥା ହୋଇ ଘଟଣାର ପୂଙ୍ଖାନୁପୁଙ୍ଖ ତଦନ୍ତ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବା ସହ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମତୀ ପରିଡା।

ସୂଚନାଯୋଗ୍ୟ, ଡେରାବିଶ ସିଡିପିଓ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ର ଗର୍ଭବତୀ ଥିଲେ। ଗତ ଅକ୍ଟୋବର ୨୫ ତାରିଖରେ ସେ ପ୍ରସବ ଯନ୍ତ୍ରଣା ଅନୁଭବ କରିବା ଆରମ୍ଭ କରିଥିଲେ। ତେବେ ତାଙ୍କୁ ମେଡିକାଲ ନେବା କିମ୍ବା ଆମ୍ବୁଲାନ୍ସ ଡାକିବା ପରିବର୍ତ୍ତେ ଡେରାବିଶ ସିଡିପିଓ ସ୍ନେହଲତା ସାହୁ ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ। ଏ ସମ୍ପର୍କରେ ଜାଣିବା ପରେ ମୁଖ୍ୟ କିରାଣୀଙ୍କ ବାପା ଓ ପରିବାରର ଅନ୍ୟ ସଦସ୍ୟ ସିଡିପିଓଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହାପରେ ସେମାନେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଶିଶୁଟିକୁ ବଞ୍ଚାଇ ପାରିନଥିଲେ।