ଜଳବାୟୁ ପରିବର୍ତ୍ତନ ସୃଷ୍ଟି କରୁଛି ମାନବୀୟ ସଙ୍କଟ
୨୦୨୩ରେ ଖାଇବାକୁ ପାଇନାହାନ୍ତି ୧୫.୧୦ କୋଟି ଲୋକ।
ଚକିତ କରୁଛି ଲାନସେଟ୍ କାଉଣ୍ଟଡାଉନ ୨୦୨୪ ଗ୍ଲୋବାଲ ରିପୋର୍ଟ
ନୂଆଦିଲ୍ଲୀ, ୦୩/୧୧: ଜଳବାୟୁ ପରିବର୍ତ୍ତନର ସାମନା କରୁଛି ସାରା ବିଶ୍ଵ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରତ୍ୟେକ ଦେଶର ଲୋକମାନଙ୍କ ମଧ୍ୟରେ ଦେଖା ଦେଉଛି ସ୍ୱାସ୍ଥ୍ୟଗତ ସମସ୍ୟା। ଜଳବାୟୁ ପରିବର୍ତ୍ତନର କୁପରିଣତି ଏବେ ସାରା ବିଶ୍ୱକୁ ଭୋଗିବାକୁ ପଡ଼ୁଛି। ଦ୍ରୁତ ଗତିରେ ପରିବର୍ତ୍ତିତ ଜଳବାୟୁ ପ୍ରତ୍ୟେକ ଦେଶର ସମୁଦାୟମାନଙ୍କ ପାଇଁ ବିପଦ ସୃଷ୍ଟି କରିଛି। ତାପମାତ୍ରାରେ ବୃଦ୍ଧି, ପାଣିପାଗରେ ହଠାତ୍ ପରିବର୍ତ୍ତନ, ସଂକ୍ରାମକ ରୋଗ ସଂକ୍ରମଣ, ଜଙ୍ଗଲ ନିଆଁ ଏବଂ ମରୁଡ଼ିର ସମ୍ମୁଖୀନ ହେଉଛି ବିଶ୍ୱ। ‘ଲାନସେଟ୍ କାଉଣ୍ଟଡାଉନ ଅନ ହେଲଥ ଆଣ୍ଡ କ୍ଲାଇମେଟ ଚେଞ୍ଜ ରିପୋର୍ଟ’ ରେ ଏହା ଦର୍ଶାଯାଇଛି।
ଜୀବାଶ୍ମ ଇନ୍ଧନରେ ନିରନ୍ତର ନିବେଶ କରୁଛି ବିଶ୍ୱ। ଏଥିରେ ଗ୍ରୀନ ହାଉସ ଗ୍ୟାସ ନିର୍ଗମନ ହେଉଥିବାରୁ ଯାହା ଜଳବାୟୁ ପରିବର୍ତ୍ତନର ଏହା ମୁଖ୍ୟ ଭୂମିକା ଗ୍ରହଣ କରୁଛି। ଏହା ମଣିଷର ବଞ୍ଚିବାର ସମ୍ଭାବନାକୁ କ୍ରମଶଃ ହ୍ରାସ କରୁଛି।
ପରିବର୍ତ୍ତିତ ଜଳବାୟୁ ମାନବ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଉଛି। ବାରମ୍ବାର ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବା ଏକ କାରଣ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାରୁ ଏହା ମାନବ ସଙ୍କଟ ସୃଷ୍ଟି କରୁଛି। ଏଥିଯୋଗୁଁ ପୃଥିବୀରେ ମରୁଡ଼ି ଅଞ୍ଚଳ ଲଗାତାର ଭାବେ ବୃଦ୍ଧି ପାଉଛି। ୨୦୨୩ ମସିହାରେ ବିଶ୍ୱର ୪୮% ଅଞ୍ଚଳ ଅତି କମରେ ଏକ ମାସର ଅତ୍ୟଧିକ ମରୁଡି ଦ୍ୱାରା ପ୍ରଭାବିତ ହୋଇଥିଲା, ଯାହା କି ୧୯୫୧ ପରଠାରୁ ଦ୍ବିତୀୟ ସର୍ବୋଚ୍ଚ ସ୍ତର। ମରୁଡ଼ି ଅଞ୍ଚଳ ବଢିବା ଦ୍ୱାରା ଜଳ ଓ ପରିମଳ ଉପରେ ଘୋର ପ୍ରଭାବ ପଡ଼ୁଛି। ଯାହା ଦ୍ୱାରା ଖାଦ୍ୟ ଓ ପାନୀୟ କ୍ଷେତ୍ରରେ ଘୋର ସଙ୍କଟ ସୃଷ୍ଟି ହେଉଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଂଶୁଘାତ ଜନିତ ମୃତ୍ୟୁ ବୃଦ୍ଧି ପାଉଥିବା ବେଳେ ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଅଧିକ ଅଂଶୁଘାତର ଶିକାର ହୋଇଛନ୍ତି। ମରୁଡ଼ି ଯୋଗୁଁ ୨୦୨୩ରେ ବିଶ୍ୱର ୧୫.୧୦ କୋଟି ଲୋକ ଖାଦ୍ୟାଭାବର ସାମନା କରିଥିଲେ। ଦକ୍ଷିଣ ଆମେରିକା, ମଧ୍ୟପ୍ରାଚ୍ୟ ଓ ଆଫ୍ରିକୀୟ ଦେଶରେ ମରୁଡିର ସ୍ଥିତି ବୃଦ୍ଧି ପାଉଛି। ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଛି।
ସେହିପରି ଅଦିନିଆ ବର୍ଷା ବୃଷ୍ଟିପାତ ପ୍ରକ୍ରିୟାକୁ ମଧ୍ୟ ପ୍ରଭାବିତ କରୁଛି। ପୃଥିବୀର ଗୋଟିଏ ଭାଗରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଥିବା ବେଳେ ଅନ୍ୟ ଭାଗରେ ଶୁଷ୍କ ଜଳବାୟୁ ଯୋଗୁଁ ମରୁଡି ସ୍ଥିତି ପରିଲକ୍ଷିତ ହେଉଛି। କେତେକ ଦେଶରେ ବାରମ୍ବାର ବର୍ଷା ହେଉଥିବାରୁ ୧୯୫୧-୬୦ ରୁ ୨୦୧୪-୨୩ ମଧ୍ୟରେ ଏଡିସ୍ ଆଲବୋପିକ୍ଟସ୍ ଏବଂ ଏଡିସ୍ ଏଜିପ୍ଟି ମଶା ଦ୍ୱାରା ଡେଙ୍ଗୁ ସଂକ୍ରମଣ ବୃଦ୍ଧି ପାଉଛି।
ଡିସେମ୍ବର ୨୦୨୩ ସୁଦ୍ଧା, ଜଳବାୟୁ ପରିବର୍ତ୍ତନ ଯୋଗୁଁ ୫୦ଟି ଦେଶ ସେମାନଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରରେ ଦୁର୍ବଳତା ସୃଷ୍ଟି ଏବଂ ଅନୁକୂଳ ଆବଶ୍ୟକତାକୁ ଆନୁଷ୍ଠାନିକ ଭାବରେ ଆକଳନ କରିଥିବା ରିପୋର୍ଟରେ ପ୍ରକାଶ ପାଇଛି। ୨୦୨୩ରେ ବିଶ୍ୱର ୨୭୯ଟି ସାର୍ବଜନୀନ ସ୍ୱାସ୍ଥ୍ୟ ଶିକ୍ଷାନୁଷ୍ଠାନ ମଧ୍ୟରୁ ୭୦% ବା ୧୯୬ଟି ଶିକ୍ଷାନୁଷ୍ଠାନ ଜଳବାୟୁ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଶିକ୍ଷା ପ୍ରଦାନ କରିଛନ୍ତି।
ଜଳବାୟୁ ପରିବର୍ତ୍ତନ ଯୋଗୁଁ ସ୍ୱାସ୍ଥ୍ୟ ପ୍ରତି ସୃଷ୍ଟି ହେଉଥିବା ବିପଦକୁ ସୀମିତ କରିବା ପାଇଁ ଗ୍ରୀନହାଉସ୍ ଗ୍ୟାସ୍ ନିର୍ଗମନ ହ୍ରାସ କରିବା ଜରୁରୀ। ଏହା ସହିତ ସ୍ୱଚ୍ଛ ବାୟୁ, ସ୍ୱାସ୍ଥ୍ୟକର ଖାଦ୍ୟ ଉପରେ ଫୋକସ୍ କରିବା ଉଚିତ୍। ବିଶ୍ୱବ୍ୟାପୀ ୨୦୨୩ରେ CO2 ଗ୍ୟାସ ଅଧିକ ନିର୍ଗମନ ହୋଇଛି। ଜୀବାଶ୍ମ ଇନ୍ଧନ ଯୋଗୁଁ ତା’ ପ୍ରଭାବରେ ୨୦୧୬ରେ ୨.୨୫ ନିୟୁତ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୨୧ରେ ଏଥିରେ ହ୍ରାସ ଘଟି ୨.୦୯ ନିୟୁତରେ ପହଞ୍ଚିଛି। ପ୍ରବଳ ଗରମ ଯୋଗୁଁ ଲୋକଙ୍କ ଶୋଇବା ଉପରେ ମଧ୍ୟ ପ୍ରଭାବ ପକାଉଛି। ୨୦୨୩ରେ ରେକର୍ଡ ୬ ପ୍ରତିଶତ ଅଧିକ ସମୟ ଶୋଇବାକୁ ପଡ଼ିଛି।
ଜଳବାୟୁ ପରିବର୍ତନ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବା ସହ ବିଶ୍ୱର ଅର୍ଥନୀତି ଉପରେ ମଧ୍ୟ ଗଭୀର ପ୍ରଭାବ ପଡ଼ିଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ସ୍ୱାସ୍ଥ୍ୟ ଖରାପ ରହିବାରୁ ସେଥିରେ ଯେଉଁ ଖର୍ଚ୍ଚ ହେଉଛି, ତାହା ଦେଶର ଅର୍ଥନୀତି ଉପରେ ମଧ୍ୟ ପ୍ରଭାବ ପକାଉଛି। ବିଶ୍ୱର ଅର୍ଥନୀତି ଏବଂ ଆର୍ଥିକ ବ୍ୟବସ୍ଥା ସୁସ୍ଥ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରେ ଏବଂ ଶୂନ୍ୟ-କାର୍ବନ ଅର୍ଥନୀତି ଉପରେ ଫୋକସ୍ କରିଥାଏ। ୨୦୨୩ରେ ଅତ୍ୟଧିକ ଗରମ ଯୋଗୁଁ ଶ୍ରମ କ୍ଷମତା ହ୍ରାସ ଯୋଗୁଁ ବିଶ୍ୱର ସମ୍ଭାବ୍ୟ ଆୟ କ୍ଷତି ୮୩୫ ବିଲିୟନ ଆମେରିକୀୟ ଡଲାର ଥିଲା। ଯଦି ଗ୍ରୀନ ହାଉସ ଗ୍ୟାସ ନିର୍ଗମନ ସ୍ଥିତି ଏହିଭଳି କିମ୍ବା ଏହା ଠାରୁ ଆହୁରି ଖରାପ ରୁହେ ତେବେ ଦେଶର ଘରୋଇ ଉତ୍ପାଦ ହ୍ରାସ ପାଇବ। ବିଶ୍ଵ ସ୍ୱଚ୍ଛ ଶକ୍ତି ନିବେଶ ୨୦୨୩ରେ ୧୦% ବୃଦ୍ଧି ପାଇ ୧.୯ ଟ୍ରିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି, ଯାହା ଜୀବାଶ୍ମ ଇନ୍ଧନ ନିବେଶଠାରୁ ୭୩% ଅଧିକ।
ଜଳବାୟୁ ପରିବର୍ତ୍ତନର ଗମ୍ଭୀର ପ୍ରଭାବକୁ ଏଡ଼ାଇବା ପାଇଁ ବର୍ତ୍ତମାନ ଆମର ଏନର୍ଜି, ପରିବହନ, କୃଷି, ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାରେ ଢାଞ୍ଚାଗତ ପରିବର୍ତ୍ତନ ଆବଶ୍ୟକ। ଏଥିପାଇଁ ବିଶ୍ବ ଅର୍ଥର ବୈଶ୍ୱିକ ରୂପାନ୍ତର, ଜୀବାଶ୍ମ ଇନ୍ଧନ ଭିତ୍ତିକ ଅର୍ଥନୀତିଠାରୁ ସମ୍ବଳକୁ ଦୂରେଇ ଏକ ସ୍ୱାସ୍ଥ୍ୟ-ସମର୍ଥକ, ଶୂନ୍ୟ ନିର୍ଗମନ ଭବିଷ୍ୟତ ଆଡ଼କୁ ସ୍ଥାନାନ୍ତର କରିବାର ଆବଶ୍ୟକତା ରହିଛି। ଜୀବାଶ୍ମ ଇନ୍ଧନରେ ନିରନ୍ତର ପୁଞ୍ଜିନିବେଶ ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପଦକ୍ଷେପ ନେବା ପାଇଁ ପ୍ରୟାସ ଜାରି ରଖିବା ଆବଶ୍ୟକ। ସୁସ୍ଥ ଭବିଷ୍ୟତ ଦ୍ରୁତ ସ୍ୱାସ୍ଥ୍ୟ ଓ ଅର୍ଥନୈତିକ ଲାଭ ପ୍ରଦାନ କରିବ।
ଜଳବାୟୁ ପରିବର୍ତ୍ତନ ପ୍ରତ୍ୟେକ ଦେଶର ଜନସଂଖ୍ୟାର ସ୍ୱାସ୍ଥ୍ୟ ଏବଂ ଜନ କଲ୍ୟାଣ ପ୍ରତି ବିପଦ ସୃଷ୍ଟି କରୁଥିବାରୁ, ଜଳବାୟୁ ପରିବର୍ତ୍ତନ ସହିତ ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ତୁରନ୍ତ ଆବଶ୍ୟକ। ଜଳବାୟୁ ପରିବର୍ତ୍ତନକୁ ନେଇ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ କରିବା ନିହାତି ଆବଶ୍ୟକ। ଜଳବାୟୁ ପରିବର୍ତ୍ତନକୁ ହ୍ରାସ କରିବା ଅର୍ଥ ବାୟୁମଣ୍ଡଳରେ ଉତ୍ତାପ ପ୍ରବାହିତ ଗ୍ରୀନ୍ ହାଉସ୍ ଗ୍ୟାସ୍ ପ୍ରବାହକୁ ହ୍ରାସ କରିବା। ଏଥିରେ ପାୱାର ପ୍ଲାଣ୍ଟ, କାରଖାନା, କାର୍ ଏବଂ ଫାର୍ମ ଭଳି ମୁଖ୍ୟ ଉତ୍ସରୁ ଗ୍ରୀନହାଉସ ଗ୍ୟାସ ହ୍ରାସ କରିବା ଅନ୍ତର୍ଭୁକ୍ତ। ଜଙ୍ଗଲ, ସମୁଦ୍ର ଏବଂ ମାଟି ମଧ୍ୟ ଏହି ଗ୍ୟାସଗୁଡ଼ିକୁ ଶୋଷଣ କରି ସଂରକ୍ଷଣ କରନ୍ତି ତେଣୁ ଏହା ସମାଧାନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ।
ଗତ ଦଶନ୍ଧିରେ, ୟୁରୋପୀୟ ସଂଘ ଜଳବାୟୁ ପରିବର୍ତ୍ତନ ବିରୋଧରେ ଦୃଢ଼ ପଦକ୍ଷେପ ନେଇଥିଲା, ଯାହାଫଳରେ ୧୯୯୦ ସ୍ତର ତୁଳନାରେ ୨୦୨୩ରେ ୟୁରୋପିଆନ ୟୁନିୟନ ଗ୍ରୀନ ହାଉସ ଗ୍ୟାସ ନିର୍ଗମନରେ ୩୭% ରୁ ଅଧିକ ହ୍ରାସ ଘଟାଇଥିଲା। ଗ୍ରୀନ ହାଉସ ଗ୍ୟାସ ନିର୍ଗମନରେ ୟୁରୋପୀୟ ସଂଘର ଭାଗିଦାରୀ ହାରାହାରି ୬ ପ୍ରତିଶତ ରହିଥିଲାବେଳେ ଜଳବାୟୁ ପରିବର୍ତ୍ତନ ପାଇଁ ସମଗ୍ର ବିଶ୍ୱର ସହଭାଗିତା ଜରୁରୀ ଅଟେ।