ଓଡିଶାକୁ ଶିଳ୍ପର ଭଣ୍ଡାର କରିବେ ରାଜ୍ୟ ସରକାର

ବାରମ୍ଵାର ବିଦେଶ ଗସ୍ତକୁ ଦେଉଛନ୍ତି ଗୁରୁତ୍ୱ

ଭୁବନେଶ୍ବର, ୦୩/୧୧: ରାଜ୍ୟରେ ନିବେଶ ଆଣିବାକୁ ବିଭିନ୍ନ କସରତ କରୁଛନ୍ତି ରାଜ୍ୟ ସରକାର। ରାଜ୍ୟକୁ କରିବେ ଶିଳ୍ପ ହବ। ଏଥିପାଇଁ ଦେଶ ବିଦେଶ ଗସ୍ତକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ଆସନ୍ତାକାଲିଠୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ। ସେହିପରି ନଭେମ୍ବର ୧୮ ତାରିଖରୁ ୩ ଦିନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଙ୍ଗାପୁର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାକୁ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ମାଝୀ ବିଦେଶୀ ନିବେଶକଙ୍କ ସହ ଆଲୋଚନା କରିବେ। ସିଙ୍ଗାପୁର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଏକ ରୋଡ୍ ସୋ’ କରିବା ସହ ଅନ୍ତର୍ଜାତୀୟ ନିବେଶକଙ୍କ ସହ ବିଭିନ୍ନ ପର୍ଯ୍ୟାୟ ବୈଠକରେ ଯୋଗଦେବେ। ଉତ୍କର୍ଷ ଓଡ଼ିଶା-ମେକ୍ ଓଡ଼ିଶା କନକ୍ଲେଭ-୨୦୨୫ ପାଇଁ ମାଝୀ ସିଙ୍ଗାପୁର ଗସ୍ତ କରିବେ। ଏହି ଗସ୍ତ ସମୟରେ ତାଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ। ଅନ୍ୟପଟେ ଆସନ୍ତା ଜାନୁଆରୀ ୨୮ ଓ ୨୯ ତାରିଖରେ ଭୁବନେଶ୍ୱରରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍ କ୍ଲେଭ୍-୨୦୨୫ ଅନୁଷ୍ଠିତ ହେବ।