ସାପ୍ତାହିକ ହାଟ ଉପରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ଆକ୍ରମଣ
ଗଭୀର ନିନ୍ଦା କଲେ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା
ଶ୍ରୀନଗର, ୦୩/୧୧: ଜମ୍ମୁ-କଶ୍ମୀରର ଶ୍ରୀନଗରର ରବିବାର ଏକ ବଜାରରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ମାଡରେ ଅତି କମରେ ୧୨ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଗ୍ରେନେଡ୍ ଆକ୍ରମଣକୁ ଗଭୀର ଦୁଃଖପ୍ରକାଶ କରିବା ସହ ସାଧାରଣ ନାଗରିକଙ୍କୁ ଟାର୍ଗେଟ୍ କରିବାର କୌଣସି ଯଥାର୍ଥତା ନାହିଁ ବୋଲି କହିଛନ୍ତି। ଗତ କିଛି ଦିନ ଧରି କାଶ୍ମୀରର କିଛି ଅଞ୍ଚଳରେ ଆକ୍ରମଣ ଜାରି ରହିଛି। ଶ୍ରୀନଗରରେ ରବିବାର ବଜାରରେ ନିରୀହ ଦୋକାନୀଙ୍କ ଉପରେ ଗ୍ରେନେଡ୍ ଆକ୍ରମଣ ଖବର ଅତ୍ୟନ୍ତ ଦୁଃଖଦାୟକ। ନିରୀହ ନାଗରିକଙ୍କୁ ଟାର୍ଗେଟ କରିବାର କୌଣସି ଯଥାର୍ଥତା ହୋଇପାରିବ ନାହିଁ। ଏହି ଆକ୍ରମଣକୁ ଯଥାଶୀଘ୍ର ଶେଷ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା ଯଥାସମ୍ଭବ ଉଦ୍ୟମ କରିବା ଦରକାର, ଯାହାଦ୍ୱାରା ଲୋକମାନେ ବିନା ଭୟରେ ନିଜ ଜୀବନ ଯାପନ କରିପାରିବେ ବୋଲି ଶ୍ରୀ ଅବଦୁଲ୍ଲା କହିଛନ୍ତି।
ଗତ କିଛି ଦିନ ହେବ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଦେଖିବାକୁ ମିଳିଛି। ଗତକାଲି ଶ୍ରୀନଗରର ଖାନୟାର ଅଞ୍ଚଳରେ ଲସ୍କର-ଏ-ତୋଇବାର ଜଣେ ଆତଙ୍କବାଦୀ ନିହତ ହୋଇଥିଲେ। ସେହିପରି ଗତକାଲି ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାବାହିନୀର ଏନକାଉଣ୍ଟରରେ ୨ ଆତଙ୍କବାଦୀଙ୍କୁ ନିହତ ହୋଇଥିଲେ।