ଅଗଷ୍ଟ ୧୮ରୁ ଓଡ଼ିଶାରେ ପୁଣି ପ୍ରବଳ ବର୍ଷା !

ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଅକ୍ଟୋବର ୧୮ ତାରିଖରେ ରାଜ୍ୟର ଉପକୂଳବର୍ତ୍ତୀ, ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏଥିସହ ଏହାର ଗୋଟିଏ ଦିନ ପରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ଥିବା ମଙ୍ଗଳବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହି ଲଘୁଚାପ ଅଗଷ୍ଟ ୨୦ ତାରିଖ ସକାଳ ପର୍ଯ୍ୟନ୍ତ ସ୍ଥିର ରହିବା ସହ ଏହା ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗ ଆଡକୁ ମୁହାଁଇବ ବୋଲି ସିଇସି ବୁଲେଟିନ୍‌ରେ କୁହାଯାଇଛି ।

ଏହାର ପ୍ରଭାବରେ ଅଗଷ୍ଟ ୧୮ ତାରିଖ ସୁଦ୍ଧା ଓଡ଼ିଶା ଉପକୂଳ ଏବଂ ଏହାର ସଂଲଗ୍ନ ଜିଲ୍ଲାଗୁଡ଼ିକରେ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ଥିବା ବେଳେ ଏହାର ଠିକ୍ ଗୋଟିଏ ଦିନ ପରେ ଉତ୍ତର ଓଡ଼ିଶା ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ, ମୟୁରଭଞ୍ଜ, କେନ୍ଦୁଝର, ଦେବଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଢ଼େଙ୍କାନାଳ, ନୟାଗଡ଼, କନ୍ଧମାଳ ଏବଂ ଅନୁଗୁଳ ଭଳି ଜିଲ୍ଲା ଗୁଡ଼ିକରେ ଲଘୁଚାପର ପ୍ରଭାବ ରହିବ । ସେହିପରି ଅଗଷ୍ଟ ୧୯ ତାରିଖ ରାତିରୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ଯଥା କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ବରଗଡ଼, ସମ୍ବଲପୁର, ସୋନ୍‌ପୁର, ବୌଦ୍ଦ ଏବଂ ଝାରସୁଗୁଡାରେ ପ୍ରବଳ ବର୍ଷା ହେବ ବୋଲି ବୁଲେଟିନ୍‌ରେ କୁହାଯାଇଛି ।