ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଆକ୍ରମଣ ଘଟଣା: କ୍ରାଇମବ୍ରାଞ୍ଚ ହାତକୁ ଗଲା ତଦନ୍ତ ଭାର

ଡିଏସପି ସରୋଜ କାନ୍ତ ମହାନ୍ତିଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଗଠନ

ଭୁବନେଶ୍ୱର, ୨୪/୧୧: ଯାଜପୁର ଜିଲ୍ଲା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ବିଧାୟକଙ୍କ ଉପରେ ଆକ୍ରମଣ, ରାସ୍ତାରୋକ ଓ ଥାନା ଘେରାଉ ଭଳି ତିନୋଟି ମାମଲାର ତଦନ୍ତ ପାଇଁ ଡିଏସପି ସରୋଜ କାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଏକ ୬ ଜଣିଆ ଟିମ୍ ଗଠନ କରାଯାଇଛି।

ସୂଚନାଯୋଗ୍ୟ, ଗତ ନଭେମ୍ବର ୨୦ ତାରିଖରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରେ ହୋଇଥିବା ଆକ୍ରମଣ ଓ ବିରଜା ହାଟରେ ହୋଇଥିବା ଧସ୍ତାଧସ୍ତିକୁ ଯାଜପୁର ପୁଲିସ ଗମ୍ଭୀରତାର ସହ ନେଇଛି। ଏହି ଘଟଣାରେ ପୁଲିସ ଦୁଇଟି ମାମଲା ରୁଜୁ କରି ୧୮ ଜଣଙ୍କୁ ଗିରଫ କରିଛି।

ସମସ୍ତ ମାମଲାରେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ଭାଇ ଭବପ୍ରସାଦ ଦାସ (ଲଲ) ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡିଛି। ବବିଙ୍କ ଅନ୍ୟ ଭାଇ ବଳଭଦ୍ର ଦାସ ଓ ଯାଜପୁର ପୌର ପରିଷଦ ଉପାଧ୍ୟକ୍ଷ ସନ୍ତୋଷ ମଲ୍ଲିକଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି। ଅନ୍ୟପଟେ ଯାଜପୁରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।