ପର୍ଥରେ ଭାରତର ଦମଦାର ବିଜୟ

୫ ସିରିଜ ମ୍ୟାଚରେ ଭାରତ ୧-୦ ରେ ଆଗୁଆ

୨୯୫ ରନରେ ହାରିଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ, ୨୫/୧୧: ଯଶପ୍ରୀତ ବୁମ୍ରାଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ ୨୦୨୪-୨୫ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୨୯୫ ରନରେ ପରାସ୍ତ କରି ପର୍ଥ ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ପ୍ରଥମ ଥର ପାଇଁ ଟେଷ୍ଟ ପରାଜୟ ଦେଇଛି। ସୋମବାର ପୂର୍ବରୁ ଅଷ୍ଟ୍ରେଲିଆ ପର୍ଥରେ ଭାରତ, ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ୍ ଓ ପାକିସ୍ତାନ ବିପକ୍ଷରେ ୪ଟି ଯାକ ଟେଷ୍ଟ ମ୍ୟାଚ୍ ଜିତିଥିଲା। ୫ଟି ସିରିଜ ବିଶିଷ୍ଟ ମ୍ୟାଚରେ ଭାରତ ୧-୦ରେ ଆଗୁଆ ରହିଛି। ଏହା ପରେ ଭାରତ ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲର ଶୀର୍ଷକୁ ଫେରିଛି। ଭାରତ ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆକୁ ୨୩୮ ରନରେ ଅଲଆଉଟ୍ କରିଦେଇଥିଲା। ଭାରତର ଟେଷ୍ଟ ଅଧିନାୟକ ଭାବେ ନିଜର ପ୍ରଥମ ବିଜୟର ସ୍ୱାଦ ଚାଖିଛନ୍ତି ଯଶପ୍ରୀତ ବୁମ୍ରା।

ଦ୍ୱିତୀୟ ଇନିଂସରେ ୫୩୪ ରନର ପିଛା କରୁଥିବା ଅଷ୍ଟ୍ରେଲିଆ ୨୩୮ ରନ୍ କରିଥିବା ବେଳେ ଜଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ ଓ ୱାଶିଂଟନ ସୁନ୍ଦର ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। ହରିଶ ରାଣା ଶେଷ ଓ୍ଵିକେଟ୍ ନେଇ ଇନିଂସ୍ ଶେଷ କରିଥିଲେ।

ଏହି ମ୍ୟାଚରେ ଯଶପ୍ରୀତ ବୁମରା ୮ଟି ୱିକେଟ୍ ନେଇଥିଲେ। ଏହି ମ୍ୟାଚରେ ଭାରତ ପକ୍ଷରୁ ଅନ୍ୟ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଯଶସ୍ୱୀ ଜୟସ୍ୱାଲ ଓ ବିରାଟ କୋହଲି ଦ୍ବିତୀୟ ଇନିଂସରେ ଶତକ ହାସଲ କରିଥିଲେ।

ଆଗାମୀ ମ୍ୟାଚ:

ଦ୍ବିତୀୟ ଟେଷ୍ଟ: ଅଷ୍ଟ୍ରେଲିଆ ବନାମ ଭାରତ, ଆଡିଲେଡ୍ (ଭାରତୀୟ ସମୟ ସକାଳ ସାଢ଼େ ୯ଟା) ଡିସେମ୍ବର ୬ରୁ ୧୦ ପର୍ଯ୍ୟନ୍ତ

୩ୟ ଟେଷ୍ଟ: ଅଷ୍ଟ୍ରେଲିଆ ବନାମ ଭାରତ, ବ୍ରିସବେନ୍ (ଭାରତୀୟ ସମୟ ସକାଳ ୫ଟା ୫୦) ଡିସେମ୍ବର ୧୪ରୁ ୧୮ ପର୍ଯ୍ୟନ୍ତ

ଚତୁର୍ଥ ଟେଷ୍ଟ: ଅଷ୍ଟ୍ରେଲିଆ ବନାମ ଭାରତ, ମେଲବର୍ଣ୍ଣ (ଭାରତୀୟ ସମୟ ସକାଳ ୫ଟା) ଡିସେମ୍ବର ୨୬ରୁ ୩୦ ପର୍ଯ୍ୟନ୍ତ

ପଞ୍ଚମ ଟେଷ୍ଟ: ଜାନୁଆରୀ ୩ରୁ ୭ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ବନାମ ଭାରତ, ସିଡନୀ (ଭାରତୀୟ ସମୟ ସକାଳ ୫ଟା)