ଓଡ଼ିଶା ବିଧାନସଭାରେ ଏକତା କପୁର
ଓଡ଼ିଶା ଆସି ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିଛନ୍ତି ଲୋକପ୍ରିୟ ପ୍ରଯୋଜିକା ଏକତା କପୁର।
ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି କୃତଜ୍ଞତା ଜଣାଇଲେ
ଭୁବନେଶ୍ୱର, ୦୩/୧୨: ଓଡ଼ିଶା ବିଧାନସଭାରେ ବଲିଉଡ୍ ଜଗତର ଲୋକପ୍ରିୟ ପ୍ରଯୋଜିକା ତଥା ନିର୍ଦ୍ଦେଶିକା ଏକତା କପୁର। ବିଧାନସଭା ପରିସରରେ ପ୍ରଯୋଜିକା ଏକତା କପୁର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ରାଜ୍ୟ ସରକାର ତାଙ୍କ ପ୍ରଯୋଜିତ ଚଳଚ୍ଚିତ୍ର ‘ଦି ସାବରମତୀ ରିପୋର୍ଟ’କୁ ଟିକସ ମୁକ୍ତ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଫିଲ୍ମ ଦେଖିବା ପାଇଁ ସେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ମନ୍ତ୍ରିମଣ୍ଡଳକୁ ଅନୁରୋଧ କରିଛନ୍ତି। ଏଥିସହ ଏକତା ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି।
ସୂଚନାଯୋଗ୍ୟ, ଶୋଭା କପୁର, ଏକତା କପୁର, ଅମୁଲ ଭି ମୋହନ ଏବଂ ଅଂଶୁଲ ମୋହନଙ୍କ ପ୍ରଯୋଜିତ ଏବଂ ଧୀରଜ ସରନାଙ୍କ ନିର୍ଦ୍ଦେଶିତ ‘ଦି ସାବରମତୀ ରିପୋର୍ଟ’ ଚଳଚ୍ଚିତ୍ର ୨୦୦୨ ଫେବ୍ରୁଆରି ୨୭ରେ ଗୁଜରାଟର ଗୋଧ୍ରା ଷ୍ଟେସନ ନିକଟରେ ସାବରମତୀ ଏକ୍ସପ୍ରେସର ଏସ-୬ ବଗିରେ ନିଆଁ ଲଗାଇ ଅଯୋଧ୍ୟାରୁ ଫେରୁଥିବା ୫୯ ଜଣ ହିନ୍ଦୁ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣା ଉପରେ ଆଧାରିତ। ଏହି ଘଟଣାକୁ ନେଇ ସେହି ବର୍ଷ ଗୁଜୁରାଟରେ ଦଙ୍ଗା ସୃଷ୍ଟି ହୋଇଥିଲା। ନଭେମ୍ବର ୨୮ତାରିଖରେ ଓଡ଼ିଶା ସରକାର ଏହି ଚଳଚ୍ଚିତ୍ରକୁ ଟିକସ ମୁକ୍ତ ଘୋଷଣା କରିଥିଲେ।