ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ନାମ ଘୋଷଣା ପୂର୍ବରୁ ବିଗିଡିଲା ସ୍ୱାସ୍ଥ୍ୟ

ହସ୍ପିଟାଲରେ ଭର୍ତ୍ତି ହେଲେ ଏକନାଥ ସିନ୍ଦେ

ଥାନେ, ୦୩/୧୨: ଗତ କିଛି ଦିନ ହେବ ଅସୁସ୍ଥ ଥିବା କାରଣରୁ ମଙ୍ଗଳବାର ଥାନେର ଜୁପିଟର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଶିବସେନା ନେତା ଏକନାଥ ସିନ୍ଦେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିବାରୁ ସମ୍ପୂର୍ଣ୍ଣ ପରୀକ୍ଷା କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ସସ୍ପେନ୍ସ ରହିଥିବା ବେଳେ ଏହି ଖବର ସାମନାକୁ ଆସିଛି। ଏକନାଥ ସିନ୍ଦେ ଗତ କିଛି ଦିନ ତଳେ ତାଙ୍କ ପୈତୃକ ଗାଁକୁ ଯିବା ପରେ ଅସୁସ୍ଥ ହୋଇପଡ଼ିଥିଲେ। ସେ ଜ୍ୱରରେ ପୀଡ଼ିତ ଥିବା ସହ ଗଳା ସଂକ୍ରମଣ ହୋଇଥିଲା। ସମ୍ପୂର୍ଣ୍ଣ ବିଶ୍ରାମ ପାଇଁ ଡାକ୍ତର ପରାମର୍ଶ ଦେଇଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ପୁଣି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଆଜି ଅପରାହ୍ନ ୩ଟାରେ ମହାୟୁତିର ବୈଠକ ଥିବା ବେଳେ ସିନ୍ଦେଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବା କାରଣରୁ ବୈଠକ ବାତିଲ ହୋଇପାରେ।