ଉତ୍ତେଜକ ପୋଷାକ ପିନ୍ଧିଲେ ହେବନି ଯୌନ ଉତ୍ପୀଡନର କେସ୍

ଥିରୁଅନନ୍ତପୁରମ: ଉତ୍ତର କେରଳର କୋଝିକୋଡ ଜିଲ୍ଲା ଅଦାଲତଙ୍କ ଏକ ଯୌନ ଉତ୍ପୀଡନ ମାମଲାରେ ଦେଇଥିବା ଟିପ୍ପଣୀକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଅଭିଯୁକ୍ତକୁ କୋର୍ଟ ଆଗୁଆ ଜାମିନ ପ୍ରଦାନ କରିଥିବାରୁ ସାଧାରଣରେ ପ୍ରକାଶ ପାଇଛି ଅସନ୍ତୋଷ । ଅଦାଲତ କହିଛନ୍ତି, ‘ଯଦି ମହିଳା କିମ୍ବା ଯୁବତୀ ଉସକାଇବା ଭଳି ଡ୍ରେସ୍ ପିନ୍ଧନ୍ତି ତେବେ ଅଭିଯୁକ୍ତ ବିରୁଦ୍ଧରେ ଆଇପିସିର ଧାରା ୩୫୪ ଆଧାରରେ ଯୌନ ଉତ୍ପୀଡନ ମାମଲା ହୋଇପାରିବ ନାହିଁ’।

ତେବେ କୋର୍ଟଙ୍କ ଏହି ରାୟକୁ ନେଇ ଆରମ୍ଭ ହୋଇଯାଇଛି ବିବାଦ । ଜଷ୍ଟିସ୍‌ ଏସ. କୃଷ୍ଣକୁମାର, ଲେଖକ ସିବିକ୍‌ ଚନ୍ଦ୍ରନଙ୍କୁ ଅଗ୍ରୀମ ଜାମିନ ପ୍ରଦାନ କରିବା ସହିତ ଏଭଳି ଟିପ୍ପଣୀ ଦେଇଛନ୍ତି । ଚନ୍ଦ୍ରନ ବିରୁଦ୍ଧରେ ଦୁଇ ବର୍ଷ ପୂର୍ବରୁ ଜଣେ ଲେଖିକା ଦୁର୍ବ୍ୟବହାର  କରିଥିବାର ଅଭିଯୋଗ କରିଥିଲେ ।

ଅଦାଲତଙ୍କ ରାୟକୁ ନେଇ ମହିଳା ସାମାଜିକ କର୍ମୀ ଏବଂ ପୂର୍ବତନ ବିଚାରପତି ଆପତ୍ତି ଉଠାଇଛନ୍ତି । କେବଳ ସେତିକି ନୁହେଁ ଏହି ମାମଲାରେ ଏବେ ହାଇକୋର୍ଟ ହସ୍ତକ୍ଷେପ କରିବା ଉଚିତ ବୋଲି ଜଣେ ପୂର୍ବତନ ବିଚାରପତି କହିଛନ୍ତି । ଅନ୍ୟପଟେ ପୀଡିତା କହିଛନ୍ତି, ବିଚାରପତିଙ୍କ ରାୟକୁ ନେଇ ସେ ଖୁବଶୀଘ୍ର ହାଇକୋର୍ଟ ଯିବେ ।