ଚଳିତ ବର୍ଷ ଶହେ ଏକର ଜାଗାରେ ହେବ କଟକ ବାଲିଯାତ୍ରା

କଟକ: ଚଳିତ ବର୍ଷ କଟକ ବାଲିଯାତ୍ରାର କଳେବର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ । ସେଥିପାଇଁ ପ୍ରାୟ ଶହେ ଏକର ଜାଗା ଚିହ୍ନଟ କରାଯିବ । ଷ୍ଟଲ୍ ସଂଖ୍ୟା ପ୍ରାୟ ୧୬ ଶହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତେବେ ୨ ବର୍ଷ ବ୍ୟବଧାନରେ ବାଲିଯାତ୍ରା ହେବାକୁ ଯାଉଛି, ତେଣୁ ଭିଡ ନିୟନ୍ତ୍ରଣ, ଟ୍ରାଫିକ ମ୍ୟାନେଜମେଣ୍ଟ ଏବଂ ପାର୍କିଂ ପାଇଁ ନିର୍ଦ୍ଧିଷ୍ଟ ବ୍ୟବସ୍ଥା କରିବା ଲାଗି ଅଧିକ ଗୁରୁତ୍ଵ ଦିଆଯାଇଛି ।

ଏଥର କଟକର ଐତିହାସିକ ବାଲିଯାତ୍ରା ହେବାଟା ଏକ ପ୍ରକାର ନିଶ୍ଚିତ । ଯେହେତୁ କରୋନା କାଳରେ ଯାତ୍ରା ହୋଇପାରିନଥିଲା, ତେଣୁ ଏଥର ବାଲିଯାତ୍ରାରେ ଅସମ୍ଭାଳ ଭିଡ଼ ହେବାର ସମ୍ଭାବନା ରହିଛି । ସେହି କାରଣରୁ ଯାତ୍ରାର ଯଥେଷ୍ଟ ସମୟ ଆଗରୁ ସମସ୍ତ ବିଭାଗ ସହ ସମନ୍ବୟ ବୈଠକ ଡାକିଛନ୍ତି ଜିଲ୍ଲାପାଳ । ବାଲିଯାତ୍ରା ପାଇଁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥର ଶହେ ଏକର ସ୍ଥାନରେ ଯାତ୍ରା କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଷ୍ଟଲ୍ ସଂଖ୍ୟା ପ୍ରାୟ ୧୬ ଶହକୁ ବୃଦ୍ଧି କରିବାକୁ ଚିନ୍ତା କରିଛି ପ୍ରଶାସନ ।