ରେଲୱେ ଚାକିରୀ ଓ ମାଗଣା ଘର ଦେବା ନାଁରେ ଲକ୍ଷାଧିକ ଟଙ୍କା ଲୁଟ୍‌

ଚଣ୍ଡିଖୋଲ: ଦୁଇ ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଯାଜପୁର ଜିଲ୍ଲା ଜେନାପୁର ପୋଲିସ । ଅଭିଯୋଗ ଅନୁଯାୟୀ ଯାଜପୁର ଟାଉନ ଅଂଚଳର ବିଶ୍ୱନାଥ ସାହୁ ସୋସିଆଲ ହାଉସିଂ ସ୍କିମର କୋଡିନେଟର କହିବା ସହ ଜେନାପୁର ଅଂଚଳର ଜୈନିକ ମହିଳାଙ୍କ ପୁଅକୁ ରେଲୱେରେ ଚାକିରୀ କରାଇବା କହି ଦେଢ଼ ଲକ୍ଷ ଟଙ୍କା ନେଇଥିଲେ । ଅନ୍ୟ କିଛି ଲୋକଙ୍କଠୁ ଚାକିରୀ କରାଇବା କହି ଲକ୍ଷାଧିକ ଟଙ୍କା ନେଇଥିଲେ । ପରେ ଜେନାପୁର ଓ ଧର୍ମଶାଳା ଅଂଚଳରେ ଗରିବ ଲୋକଙ୍କୁ ମାଗଣା ଘର ଦେବା ନାମରେ ୨୦୦୦ଟଙ୍କା ନେଇଥିଲେ ।

ଏହିଭଳି ବିଭିନ୍ନ ଅଂଚଳରୁ ମିଛ କହି ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ । ବିଭିନ୍ନ ଆଳ ଦେଖାଇ ଲୋକଙ୍କୁ ଧରାଛୁଆଁ ଦେଉନଥିଲେ ପରେ ବିଶ୍ୱନାଥ ଜଣେ ଠକ ବୋଲି ଜାଣିବା ପରେ ଜେନାପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ଲୋକେ । ଅଭିଯୋଗ ଆଧାରରେ ଜେନାପୁର ପୋଲିସ ଏହି ଘଟଣାରେ ବିଶ୍ୱନାଥ ସାହୁ ଓ ଭୁବନେଶ୍ୱର ନୟାପଲ୍ଲୀ ଅଂଚଳର ବିରଜା ପ୍ରସାଦ ରୟଙ୍କୁ ଗିରଫ କରିଛି ।

ସେମାନଙ୍କ ନିକଟରୁ ଦୁଇଟି ସ୍କୁଟି, ଗୋଟିଏ ବାଇକ, ମୋବାଇଲ, ଜାଲ ଆପୋଏଣ୍ଟମେଣ୍ଟ ଲେଟର, ନକଲି ସୁନାଇଟା, ପ୍ରେସ ଆଇ କାର୍ଡ ଓ ବହୁ ଗୁରୁତ୍ୱପୁର୍ଣ କାଗଜପତ୍ର ଜବତ କରିଛି ପୋଲିସ । ଏମାନଙ୍କ ନାମରେ ଧର୍ମଶାଳା, ଯାଜପୁର ଟାଉନ ଓ ଚନ୍ଦ୍ରଶେଖରପୁର ଥାନା ମାନଙ୍କରେ ମାମଲା ରହିଛି । ଦୁଇ ଜଣ ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି ପୋଲିସ୍‌ ।