ରାଜ୍ୟସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ
ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ହରି ବାବୁ କାମ୍ଭମପତି।
ବିଭିନ୍ନ ସ୍ଥାନରେ ପତାକା ଉତ୍ତୋଳନ
ଭୁବନେଶ୍ୱର, ୨୬/୦୧: ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରେ ଆୟୋଜିତ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ରାଜ୍ୟପାଳ ହରି ବାବୁ କାମ୍ଭମପତି ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।
ଏହି ଅବସରରେ ମହାତ୍ମା ଗାନ୍ଧୀ ମାର୍ଗରେ ଦେଶପ୍ରେମ, ସାଂସ୍କୃତିକ ଐତିହ୍ୟ ଏବଂ ପ୍ରଗତିଶୀଳ କାର୍ଯ୍ୟକ୍ରମର ଜୀବନ୍ତ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଆୟୋଜିତ ପରେଡରେ ଓଡ଼ିଶା ପୁଲିସ, ବିଏସଏଫ, ଓଏସ୍ଏପି ଓ ସିଆରପିଏଫ ସମେତ ମୋଟ ୪୯ଟି ଟିମ୍ ଅଂଶଗ୍ରହଣ କରିଥିଲେ। ଏଥିସହ ମହର୍ଷି ନ୍ୟାଚୁରାଲ ଆଇନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମୋଟର ସାଇକେଲରେ ଡେୟାରଡେଭିଲ୍ ପ୍ରଦର୍ଶନ କରିଥିବା ବେଳେ ଓଡ଼ିଶା ସ୍କେଟିଂ ଏକାଡେମୀ ପକ୍ଷରୁ ସ୍କେଟିଂ ପ୍ରଦର୍ଶନ କରାଯାଇଥିଲା।
ଏତଦବ୍ୟତୀତ ସାଧାରଣତନ୍ତ୍ର ଦିବସ ଅବସରରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ବିଧାନସଭା ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।
ପୁରୀ ଓ ଖୋର୍ଦ୍ଧାରେ ସାଧାରଣତନ୍ତ୍ର ଦିବସ ଅବସରରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ।
ସେହିପରି ସୁନ୍ଦରଗଡ଼ରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ସୋନପୁରରେ ରବି ନାରାୟଣ ନାୟକ, କୋରାପୁଟରେ ନିତ୍ୟାନନ୍ଦ ନାୟକ, ଜଗତସିଂହପୁରରେ କୃଷ୍ଣଚନ୍ଦ୍ର ପାତ୍ର, ଯାଜପୁରରେ ପୃଥ୍ୱୀରାଜ ହରିଚନ୍ଦନ, ରାୟଗଡ଼ାରେ ମୁକେଶ ମହାଲିଙ୍ଗ, ଗଜପତିରେ ବିଭୂତି ଭୂଷଣ ଜେନା, ବାଲେଶ୍ୱରରେ କୃଷ୍ଣଚନ୍ଦ୍ର ମହାପାତ୍ର, କେନ୍ଦୁଝରରେ ଗଣେଶ ରାମ ସିଂହ ଖୁଣ୍ଟିଆ, ନୂଆପଡ଼ାରେ ସୂର୍ଯ୍ୟବଂଶୀ ସୁରଜ, ଢେଙ୍କାନାଳରେ ପ୍ରଦୀପ ବଳ ସାମନ୍ତ, ନୟାଗଡ଼ରେ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ମାଲକାନଗିରିରେ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।