ଓଲଟିଲା ଯାତ୍ରୀବାହୀ ବସ୍: ୨ ମୃତ ୨୦ରୁ ଅଧିକ ଗୁରୁତର

ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଅନୁଗୁଳ,୨୭/୦୧(ଦର୍ଶନ ନ୍ୟୁଜ୍): ଅନୁଗୁଳ ଜିଲ୍ଲା ଗହମ ଅଞ୍ଚଳରେ ରବିବାର ଅପରାହ୍ନ ରେ ସରକାରୀ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ପାଲଲହଡ଼ାରୁ ତାଳଚେର ସଂଯୋଗ କରୁଥିବା ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିବା ଫଳରେ ବସ୍‌ର ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୩ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ତାଳଚେର ଉପଖଣ୍ଡ ଡାକ୍ତରଖାନା ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରୁ ପ୍ରାୟ ୪୦ ଜଣ ଯାତ୍ରୀ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି।

ସୂଚନା‌ ଅନୁସାରେ ଗତକାଲି ଅପରାହ୍ନ ରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆରଟିସି)ର ଏକ ଯାତ୍ରୀବାହୀ ବସ୍‌ ବାରିପଦାରୁ ଅନୁଗୁଳ ଅଭିମୁଖେ ବାହାରି ଥିଲା। ସରକାରୀ ଯାତ୍ରୀବାହୀ ବସ୍‌ଟି ଜାତୀୟ ରାଜପଥରେ ଯାଉଥିବା ବେଳେ ସମଲ ଥାନା ଅଧୀନ ଗହମ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବସଟି ସଂପୂର୍ଣ୍ଣ ରାସ୍ତା କଡକୁ ଓଲଟି ପଡ଼ିଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କର ସହାୟତାରେ ସମସ୍ତ ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସହାୟତାରେ ତାଳଚେର ଉପଖଣ୍ଡ ଡାକ୍ତରଖାନାକୁ ପଠା ଯାଇଥିଲା। ଡାକ୍ତରଖାନାରେ ୨ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତକ ଦୁଇଜଣ ହେଲେ ଝାଡ଼ଖଣ୍ଡର ରାଧା ମୁଣ୍ଡା ଓ ମୟୁରଭଞ୍ଜର ସମୀର ମହନ୍ତ ବୋଲି ଜଣା ପଡିଛି। ୧୩ ଜଣଙ୍କର ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରା ଯାଉଛି ଓ ଅତି ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅନୁଗୁଳ ଜିଲ୍ଲାପାଳ ଅବଦଲ ଏମ ଅଖତର, ଏସ୍ ପି ରାହୁଲ ଜୈନ ଅନୁଗୁଳ ଓ ତାଳଚେର ଡାକ୍ତରଖାନା ଯାଇ ଆହତଙ୍କ ଅବସ୍ଥା ପଚାରି ବୁଝିବା ସହ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାନ୍ୟ ଆହତଙ୍କୁ ୫ ହଜାର ଓ ଗୁରୁତର ମାନଙ୍କୁ ୧୦ରୁ ୨୦ ହଜାର ସହାୟତା ରାଶି ଏବଂ ସରକାରଙ୍କ ପକ୍ଷରୁ ସମସ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଉଭୟ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରିଥିବା ବେଳେ ସମସ୍ତ ଆହତଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି।