ନୂଆଦିଲ୍ଲୀ, ୨୭/୦୧: ଆତଙ୍କ ଖେଳାଉଛି ବିରଳ ସ୍ନାୟୁ ରୋଗ ଗୁଇଲେନ୍-ବାରେ ସିଣ୍ଡ୍ରୋମ୍। ଏଥିରେ ଆକ୍ରାନ୍ତ ହୋଇ ପୁନେରେ ଜଣଙ୍କର ଜୀବନ ଗଲାଣି। ଶତାଧିକ ଲୋକେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।
ଏହି ରୋଗରେ ପୀଡ଼ିତ ହୋଇ ମହାରାଷ୍ଟ୍ରର ପ୍ରଥମ ମୃତକ ଜଣକ ଥଣ୍ଡା, କାଶ, ଶ୍ୱାସକ୍ରିୟାରେ ଅସୁବିଧା ଅନୁଭବ କରିଥିଲେ। ଏଣୁ ଜାନୁଆରୀ ୧୮ ତାରିଖରେ ତାଙ୍କୁ ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ପ୍ରଥମେ ଆଇସିୟୁ ୱାର୍ଡରେ ରଖାଯାଇଥିଲା କିନ୍ତୁ ପରେ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାଧାରଣ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ପରେ ପୁଣି ନିଶ୍ୱାସ ନେବାରେ କଷ୍ଟ ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁ ପୂର୍ବରୁ ସେ ପକ୍ଷାଘାତର ଶିକାର ହୋଇଥିଲେ।
ପୁନେରେ ଗୁଇଲେନ୍-ବାରେ ସିଣ୍ଡ୍ରୋମ୍ (ଜିବିଏସ) ର ୧୦୦ରୁ ଅଧିକ ଆକ୍ରାନ୍ତ ହେଲେଣି। ରବିବାର ପୁଣେରେ ମୋଟ ଜିବିଏସ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୧କୁ ବୃଦ୍ଧି ପାଇଛି, ଯେଉଁଥିରେ ୬୮ ଜଣ ପୁରୁଷ ଓ ୩୩ ଜଣ ମହିଳା ଅଛନ୍ତି। ଏମାନଙ୍କ ମଧ୍ୟରୁ ୧୬ ଜଣ ଭେଣ୍ଟିଲେଟରରେ ଅଛନ୍ତି।
ଏଥି ପାଇଁ ରାପିଡ୍ ରେସପନ୍ସ ଟିମ୍ (ଆରଆରଟି) ଏବଂ ପୁଣେ ମହାନଗର ନିଗମର ସ୍ୱାସ୍ଥ୍ୟ ବିଭାଗ ପ୍ରଭାବିତ ଅଞ୍ଚଳରେ ତଦାରଖ ଜାରି ରଖିଛନ୍ତି। ପ୍ରତିଟି ଘରକୁ ଘର ବୁଲି ସର୍ଭେ କରାଯାଉଛି।
ଗୁଇଲେନ୍-ବାରେ ସିଣ୍ଡ୍ରୋମ କ’ଣ?
ଗୁଇଲେନ୍-ବାରେ ସିଣ୍ଡ୍ରୋମ (ଜିବିଏସ୍) ହେଉଛି ଏକ ଅଟୋଇମ୍ମ୍ୟୁନ ନ୍ୟୁରୋଲୋଜିକାଲ ଡିସଅର୍ଡର ବା ବିରଳ ତଥା ଗୁରୁତର ସ୍ନାୟୁବିକ ରୋଗ। ଏହି ରୋଗ ହେଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମି ଯାଇଥାଏ। ଏହା ସ୍ନାୟୁକୁ ଆକ୍ରମଣ କରିବା ଦ୍ୱାରା ସ୍ନାୟୁ ଦୁର୍ବଳ ହୋଇଯାଏ, ଶରୀର ବଧିରା ହୋଇଯାଏ ଓ ପକ୍ଷାଘାତର ଶିକାର ହୋଇଥାଏ ରୋଗୀ। ଏହି ସଂକ୍ରମଣ ଶ୍ୱାସକ୍ରିୟା ଜନିତ ହୋଇପାରେ କିମ୍ବା ଗ୍ୟାସ ଜନିତ ମଧ୍ୟ ହୋଇପାରେ। ପ୍ରଥମେ ପାଦରେ କଷ୍ଟ ହୋଇଥାଏ ଏବଂ ପରେ ଶରୀରର ଅନ୍ୟ ମାଂସପେଶୀରେ କଷ୍ଟ ଅନୁଭବ କରିଥାଏ ରୋଗୀ।
ଜିବିଏସର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ଜିବିଏସ୍ ସାଧାରଣତଃ ଜଣେ ବ୍ୟକ୍ତି ଭୂତାଣୁ ଜନିତ କିମ୍ବା ଜୀବାଣୁ ସଂକ୍ରମଣର ଶିକାର ହେବା ପରେ ହୋଇଥାଏ। ଶ୍ୱାସକ୍ରିୟା ସଂକ୍ରମଣ, ଯେପରିକି ଫ୍ଲୁ, କିମ୍ବା ଗ୍ୟାଷ୍ଟ୍ରୋଇନଷ୍ଟ୍ରାଇନଲ ସଂକ୍ରମଣ ହେଲେ ଏହା ହୋଇଥାଏ। ଏହା ମସ୍ତିଷ୍କ ଏବଂ ଶରୀରର ବାକି ଅଂଶ ମଧ୍ୟରେ ଯୋଗାଯୋଗରେ ବାଧା ସୃଷ୍ଟି କରିଥାଏ। ଯେଉଁଥିପାଇଁ ମାଂସପେଶୀ ଦୁର୍ବଳ ହେବା ସହ ପକ୍ଷାଘାତ ହୋଇଥାଏ।
ଏହି ରୋଗ କୌଣସି ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କୁ ଆକ୍ରାନ୍ତ କରିନଥାଏ। ଏହି ରୋଗରେ ପୀଡ଼ିତ ହେଲେ ୬ ସପ୍ତାହ ଧରି ଏହାର ଲକ୍ଷଣ ଦେଖା ଦେଇଥାଏ।