ଭାରତ ଫେରିବା ପୂର୍ବରୁ ୧୧ ଦିନ ଆମେରିକାରେ ହେପାଜତରେ ରହିଥିଲେ ଭାରତୀୟ
ଭାରତରେ ପହଞ୍ଚିବା ପରେ ଜାଣିଲେ ଯେ ଭାରତ ଆସିଛନ୍ତି।
ହାତ ଗୋଡ଼ ବାନ୍ଧି ଭାରତୀୟଙ୍କୁ ଆଣିଥିଲା ସାମରିକ ବିମାନ
ନୂଆଦିଲ୍ଲୀ, ୦୬/୦୨: ଗତ କାଲି ଆମେରିକାରେ ରହୁଥିବା ବେଆଇନ ଭାରତୀୟଙ୍କୁ ଦେଶର ଏକ ସାମରିକ ବିମାନରେ ଆଣି ଭାରତର ଅମୃତସର ବିମାନବନ୍ଦରରେ ଛାଡିଥିଲେ ଆମେରିକା ଅଧିକାରୀ। ଟେକ୍ସାସର ସାନ୍ ଆଣ୍ଟୋନିଓରୁ ଉଡ଼ାଣ ଭରିଥିବା ସି-୧୭ ଆମେରିକୀୟ ସାମରିକ ବିମାନ ଅପରାହ୍ନ ୧ଟା ୫୯ରେ ଶ୍ରୀ ଗୁରୁ ରାମ ଦାସ ଜୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ରବାସୀ ଭାରତୀୟଙ୍କୁ ଧରି ପହଞ୍ଚିଥିଲା। ହେଲେ, ଅମୃତସରରେ ପହଞ୍ଚିବା ପର୍ଯ୍ୟନ୍ତ ବି ସ୍ୱଦେଶ ଫେରୁଥିବା ଜାଣିନଥିଲେ ଭାରତୀୟ।
ପ୍ରବାସୀ ଭାରତୀୟମାନେ ଦାବି କରିଛନ୍ତି ଯେ ସେମାନଙ୍କୁ ଆଣିବା ସମୟରେ ବିମାନରେ ହାତ ଗୋଡ଼ ବାନ୍ଧି ଦିଆଯାଇଥିଲା। ପଞ୍ଜାବର ଗୁରୁଦାସପୁରର ଜଣେ ୩୬ ବର୍ଷୀୟ ଯୁବକ ଜସପାଲ ସିଂହ କହିଛନ୍ତି ଯେ ଅମୃତସରରେ ଅବତରଣ କରିବା ପରେ ହିଁ ଆମକୁ ଖୋଲା ଯାଇଥିଲା। ଆମ୍ଭମାନଙ୍କ ହାତକୁ ହ୍ୟାଣ୍ଡକପ ଓ ଗୋଡ଼କୁ ଚେନରେ ବନ୍ଧା ଯାଇଥିଲା। ଆମେ ଭାବୁଥିଲୁ ଆମକୁ ଅନ୍ୟ ଶିବିରକୁ ନିଆଯାଉଛି। ହେଲେ, ଜଣେ ପୋଲିସ ଅଧିକାରୀଙ୍କୁ ପଚାରିବାରୁ ସେ କହିଲେ ଯେ ଆମକୁ ଭାରତ ନିଆଯାଉଛି। ଆମକୁ ୧୧ ଦିନ ପାଇଁ ଆମେରିକାରେ ହେପାଜତରେ ରଖାଯାଇଥିଲା ଏବଂ ପରେ ଭାରତ ପଠାଯାଇଥିଲା ବୋଲି କହିଛନ୍ତି।