ଚୀନର ମୁକାବିଲା ପାଇଁ ଭାରତ କିଣିବ ପ୍ରିଡେଟର ଡ୍ରୋନ

ନୂଆଦିଲ୍ଲୀ : ଖୁବଶୀଘ୍ର ଭାରତ ପାଖକୁ ଆସିବ ବିଶ୍ବର ସବୁଠାରୁ ଶକ୍ତିଶାଳୀ ଲଢୁଆ ଡ୍ରୋନ ଏମକ୍ୟୁ-୯ ରିପର ବା ପ୍ରିଡେଟର ଡ୍ରୋନ । ଏଥିପାଇଁ ଭାରତ ଓ ଆମେରିକା ମଧ୍ୟରେ ଆଲୋଚନା ଚୂଡ଼ାନ୍ତ ସ୍ତରରେ ପହଞ୍ଚିଛି । ମିଳିଥିବା ସୂଚନା ଅନୁସାରେ ଭାରତ ମୋଟ ୩ ବିଲିୟନ ଡଲାର ବା ୨୪ ହଜାର କୋଟି ଟଙ୍କା ମୂଲ୍ୟର ୩୦ଟି ପ୍ରେଡେଟର ଡ୍ରୋନ କିଣିବ । ସେନା, ବାୟୁସେନା ଓ ନୌସେନାକୁ ୧୦ଟି ଲେଖାଏଁ ଡ୍ରୋନ ମିଳିବ ।

୨୦୧୯ ଏପ୍ରିଲ ମାସରେ ଟ୍ରମ୍ପ ପ୍ରଶାସନ ଆମେରିକାର ନିଜର ସାମରିକ ରପ୍ତାନି ନୀତିରେ ସଂଶୋଧନ କରି ଭାରତକୁ ଡ୍ରୋନ ରପ୍ତାନି ପାଇଁ ପଥ ପରିଷ୍କାର କରିଥିଲା । ଭାରତକୁ ପ୍ରାୟ ୩ ବିଲିୟନ ଡଲାର ବିନିମୟରେ ୩୦ଟି ଏମକ୍ୟୁ-୯ ରିପର ଡ୍ରୋନ ବିକ୍ରି ପାଇଁ ଆମେରିକା ପ୍ରସ୍ତାବ ଦେଇଥିଲା । ଜେନେରାଲ ଆଟମିକ୍ସ କମ୍ପାନି ଏସବୁ ଡ୍ରୋନଗୁଡ଼ିକର ନିର୍ମାଣ କରିଥାଏ ।

ଭାରତ ମଧ୍ୟ ଏହି ପ୍ରସ୍ତାବରେ ରାଜି ହୋଇଥିଲା । କିନ୍ତୁ ପରେ ଏହି ଯୋଜନା ଟିକିଏ ଶିଥିଳ ହୋଇଯାଇଥିଲା । ଦର ନିର୍ଦ୍ଧାରଣକୁ ନେଇ ଦୁଇ ଦେଶ ମଧ୍ୟରେ କେତେକ ମତଭେଦ ଯୋଗୁଁ ଏହି କ୍ରୟ ପ୍ରକ୍ରିୟା ଶିଥିଳ ହୋଇଯାଇଥିଲା । ଏହାଛଡ଼ା ଭାରତ ସ୍ବଦେଶୀ ଜ୍ଞାନକୌଶଳରେ ଲଢୁଆ ଡ୍ରୋନ ନିର୍ମାଣ ଉପରେ ଗୁରୁତ୍ବ ଦେଉଥିବାରୁ ବିଦେଶୀ ଡ୍ରୋନ ଉପରେ ପ୍ରାଥମିକତା କମିଯାଇଥିଲା ।