ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁପ୍ତା

ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଶପଥ ପାଠ କରାଇଲେ ଉପରାଜ୍ୟପାଳ ଭିକେ ସକ୍ସେନା

ନୂଆଦିଲ୍ଲୀ, ୨୦/୦୨: ଦିଲ୍ଲୀର ନୂଆ ତଥା ନବମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ରେଖା ଗୁପ୍ତା। ରାମଲୀଳା ମଇଦାନରେ ଆୟୋଜିତ ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ଉପରାଜ୍ୟପାଳ ଭିକେ ସକ୍ସେନା ରେଖା ଗୁପ୍ତାଙ୍କୁ ଶପଥ ପାଠ କରାଇଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଅଛନ୍ତି। ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ହରିୟାଣାର ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନୀ ପ୍ରମୁଖ ଉପସ୍ଥିତ ରହିଛନ୍ତି।

ଶାଲିମାରବାଗ ଆସନରୁ ପ୍ରଥମ ଥର ପାଇଁ ବିଧାୟିକା ହୋଇଥିବା ରେଖା ଗୁପ୍ତା ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପୂର୍ବରୁ ବିଜେପିର ସୁଷମା ସ୍ୱରାଜ, କଂଗ୍ରେସର ଶୀଲା ଦୀକ୍ଷିତ ଏବଂ ଆମ୍ ଆଦମୀ ପାର୍ଟିର ଆତିଶୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହିଥିଲେ।