ଆକ୍ସନ ମୋଡରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
ୟେମେନରେ ହୁତି ବିଦ୍ରୋହୀଙ୍କ ଉପରେ ଏୟାର ଷ୍ଟ୍ରାଇକ
୩୧ ମୃତ, ୧୦୦ରୁ ଉର୍ଦ୍ଧ୍ବ ଆହତ
ୟେମେନ, ୧୬/୦୩: ଆକ୍ସନ ମୋଡରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସରକାରକୁ ଆସିବା ପରେ ବଡ଼ ଧରଣର ସାମରିକ ଅଭିଯାନ ଚଳାଇଛନ୍ତି। ୟେମେନରେ ଇରାନ ସମର୍ଥିତ ହୁତି ବିଦ୍ରୋହୀଙ୍କ ଉପରେ ବଡ଼ ଧରଣର ସାମରିକ ଆକ୍ରମଣ କରିଛି ଆମେରିକା। ୟେମେନରେ ଏହି ଏୟାର ଷ୍ଟ୍ରାଇକ ସମୟର ଲାଇଭ ଷ୍ଟ୍ରିମିଙ୍ଗ ଦେଖି ଘଟଣା ଉପରେ ସମ୍ପୂର୍ଣ୍ଣ ନଜର ରଖିଛନ୍ତି ଡୋନାଲ୍ଡ ଟ୍ରମ୍ପ।
ଏହି ଆକ୍ରମଣରେ ଅତି କମରେ ୩୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି।
ଜାନୁଆରୀରେ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ମଧ୍ୟପ୍ରାଚ୍ୟରେ ଏହା ଆମେରିକାର ସବୁଠାରୁ ବଡ ସାମରିକ ଅଭିଯାନ। ଆଣବିକ ଆଲୋଚନା ପାଇଁ ତେହେରାନ ଉପରେ ଚାପ ପକାଇବା ପାଇଁ ଆମେରିକା ତା’ ଉପରେ କଟକଣାକୁ ଜୋରଦାର କରୁଥିବା ବେଳେ ହୁତି ବିଦ୍ରୋହୀ ଉପରେ ଏହି ଆକ୍ରମଣ ହୋଇଛି ବୋଲି ରଏଟର୍ସ ରିପୋର୍ଟ କରିଛି।
୨୦୨୩ ମସିହା ଅକ୍ଟୋବରରେ ହମାସ ସହିତ ଯୁଦ୍ଧ ଆରମ୍ଭ ହେବା ପରେ ଇସ୍ରାଏଲ ଉପରେ ଆକ୍ରମଣ କରି ଆହୁତି ହୁତି ବିଦ୍ରୋହୀ ଗୋଷ୍ଠୀ। ଲୋହିତ ସାଗରରେ ନଭେମ୍ବର ୨୦୨୩ରୁ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ୧୯୦ଟି ଆକ୍ରମଣ କରିଛି। ଆମେରିକାର ହ୍ୟାରି ଏସ୍ ଟ୍ରୁମ୍ୟାନ୍ ଏୟାରକ୍ରାଫ୍ଟ ଉପରେ ମିଜାଇଲ ଆଟାକ୍ କରିଥିଲା। ପୂର୍ବରୁ ଆମେରିକା ଓ ବ୍ରିଟେନ ହୁତି ଗୋଷ୍ଠୀ ଉପରେ ଆକ୍ରମଣ କରିଥିଲା। ହେଲେ, ଏଥର ବଡ଼ ଧରଣର ସାମରିକ ଅଭିଯାନ ଚଳାଇଛି ଆମେରିକା।
ଯଦି ହୁତି ବିଦ୍ରୋହୀ ଗୋଷ୍ଠୀ ନିଜର କାର୍ଯ୍ୟକଳାପ ବନ୍ଦ ନକରେ, ତେବେ ସେମାନଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି।
ହୁତିର ମୁଖ୍ୟ ସମର୍ଥକ ଇରାନକୁ କଡ଼ା ଚେତାବନୀ ଦେଇ ଟ୍ରମ୍ପ ତୁରନ୍ତ ଏହି ଗୋଷ୍ଠୀକୁ ସମର୍ଥନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ସତର୍କ କରାଇ ଦେଇଛନ୍ତି ଯେ ଯଦି ହୁତି ପକ୍ଷରୁ କୋୖଣସି ପ୍ରକାର ବିପଦ ସୃଷ୍ଟି ହୁଏ, ତାହାଲେ ତା’ର ସମ୍ପୂର୍ଣ୍ଣ ଭାବେ ଦାୟୀ ରହିବ ଇରାନ। ଏଥିରେ ଇରାନକୁ ବହୁ କ୍ଷତି ସହିବାକୁ ପଡ଼ିବ। ସମସ୍ତ ହୁତି ବିଦ୍ରୋହୀଙ୍କ ସମୟ ସରିଯାଇଛି। ଏବେଠାରୁ ଆକ୍ରମଣ ବନ୍ଦ ହେବା ଆବଶ୍ୟକ। ଯଦି ଆକ୍ରମଣ ବନ୍ଦ ନ କରନ୍ତି ତାହାଲେ, ନର୍କ ଦେଖିବ ହୁତି ବିଦ୍ରୋହୀ ଗୋଷ୍ଠୀ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି।