କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଓ ପେନସନଭୋଗୀଙ୍କ ମହଙ୍ଗା ସହାୟତା ବୃଦ୍ଧି: କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ

ଜାଣନ୍ତୁ କେତେ ବଢ଼ିବ ଦରମା

ନୂଆଦିଲ୍ଲୀ, ୨୮/୦୩: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଓ ପେନସନଭୋଗୀଙ୍କ ମହଙ୍ଗା ସହାୟତା ବଢିବ। ମହଙ୍ଗା ଭତ୍ତାରେ ୨% ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅନୁମୋଦନ ମିଳିଛି। ୨୦୨୫ ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ। ଏହି ସଂଶୋଧନ ଦ୍ୱାରା ମହଙ୍ଗା ଭତ୍ତା ୫୩%ରୁ ୫୫%କୁ ବୃଦ୍ଧି ପାଇବ।

ମହଙ୍ଗା ଭତ୍ତା ବୃଦ୍ଧି ଦ୍ୱାରା କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀ ଉପକୃତ ହେବେ। ଯଦି କୌଣସି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମୂଳ ଦରମା ୧୮,୦୦୦ ଟଙ୍କା, ତେବେ ତାଙ୍କୁ ଏବେ ମାସିକ ୩୬୦ ଟଙ୍କା ଅଧିକ (୧୮,୦୦୦ ଟଙ୍କାରୁ ୨% ଅଧିକ) ଅର୍ଥାତ୍ ବାର୍ଷିକ ୪,୩୨୦ ଟଙ୍କାର ଲାଭ ମିଳିବ। ସେହିପରି ଜଣେ ପେନସନଭୋଗୀଙ୍କ ବେସିକ୍ ପେନସନ ୯,୦୦୦ ଟଙ୍କା ଥାଏ, ତେବେ ତାଙ୍କୁ ମାସିକ ୧୮୦ ଟଙ୍କା ଅଧିକ ମିଳିବ, ଯାହା କି ବର୍ଷକୁ ୨,୧୬୦ ଟଙ୍କା ବୃଦ୍ଧି ପାଇବ।

ଶେଷ ଥର ପାଇଁ ଜୁଲାଇ ୨୦୨୪ରେ ମହଙ୍ଗା ଭତ୍ତା ବୃଦ୍ଧି ହୋଇଥିଲା, ଯେତେବେଳେ ଏହାକୁ ୫୦%ରୁ ୫୩%କୁ ବୃଦ୍ଧି କରାଯାଇଥିଲା।