ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ: ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ନବୀନ ପଟ୍ଟନାୟକ

ବିନ୍ଦୁସାଗର କୂଳରେ ତିଳତର୍ପଣ କଲେ ବିଜେଡ଼ି ନେତା

ସାଢେ ୪ କୋଟି ଓଡିଆଙ୍କ ପ୍ରେରଣା ବିଜୁ ବାବୁ: ନବୀନ

ଭୁବନେଶ୍ୱର, ୧୭/୦୪: ଆଜି ଓଡ଼ିଶାର ମହାନ ଜନନାୟକ ତଥା ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୮ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ। ବିଜୁ ପଟ୍ଟନାୟକ ପାର୍କ ପରିସରରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ନବୀନ।

ଏହା ସହ ବିନ୍ଦୁସାଗର କୂଳରେ ବିଜେଡ଼ିର ବରିଷ୍ଠ ନେତାଙ୍କ ଦ୍ୱାରା ତିଳ ତର୍ପଣ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ବିଏମସି ମେୟର ସୁଲୋଚନା ଦାସ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସମେତ ଦଳୀୟ କର୍ମୀ ଓ ସାଧାରଣ ଲୋକେ ମଧ୍ୟ ସାମିଲ ହୋଇଥିଲେ।

ଏହି ଅବସରରେ ନବୀନ ପଟ୍ଟନାୟକ ଏକ୍ସରେ କହିଛନ୍ତି ଯେ, “ଓଡ଼ିଆଙ୍କ ସ୍ୱାଭିମାନ, ମହାନ ଜନନାୟକ ବିଜୁ ବାବୁଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି। ତାଙ୍କ ନିର୍ଭୀକ ଜୀବନ, ଅଦମ୍ୟ ସାହସ କୋଟି କୋଟି ଓଡ଼ିଆଙ୍କ ପାଇଁ ପ୍ରେରଣା। ଲୋକଙ୍କ ସହ ରହିବା ଓ ଲୋକଙ୍କ ଲାଗି କାମ କରିବାକୁ ସେ ଦେଇଥିବା ମନ୍ତ୍ର ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ସେବା ପାଇଁ ଆମକୁ ସର୍ବଦା ଅନୁପ୍ରାଣିତ କରିବ।”