ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ କର୍ମଚାରୀଙ୍କ ଦରମା ବୃଦ୍ଧି

ମାସିକ ପାରିଶ୍ରମିକ ବୃଦ୍ଧି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର, ୧୭/୦୪: ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ ନିଯୁକ୍ତ ପୋଲିସ କର୍ମଚାରୀଙ୍କ ଦରମା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସର୍ବନିମ୍ନ ମାସିକ ପାରିଶ୍ରମିକ ୩୦ ହଜାର ଟଙ୍କାରୁ ୪୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଆଜି ପାରିଶ୍ରମିକ ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ସିପାହୀଙ୍କ ପାରିଶ୍ରମିକ ୩୦ ହଜାରରୁ ୪୫ ହଜାର ଟଙ୍କା ବୃଦ୍ଧି, ଲାନ୍ସ ନାଏକ, ନାଏକ ଓ ହାବିଲଦାରଙ୍କ ପାରିଶ୍ରମିକ ୩୨ ହଜାରରୁ ୫୦ ହଜାର ଟଙ୍କା ବୃଦ୍ଧି, ଜୁନିଅର କମିଶନଡ ଅଫିସରଙ୍କ ପାରିଶ୍ରମିକ ୪୦ ହଜାରରୁ ୫୫ ହଜାର ଟଙ୍କା ବୃଦ୍ଧି କରାଯାଇଛି। ସେହିପରି ଡିଙ୍ଗି ଡ୍ରାଇଭର, ସି-ମ୍ୟାନ ମେକାନିକ, ଖଲାସିମାନଙ୍କ ପାରିଶ୍ରମିକ ୩୦ ହଜାରରୁ ୪୫ ହଜାର ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ ସିରାଙ୍ଗ, ଇଞ୍ଜିନ ଡ଼୍ରାଇଭର ମାନଙ୍କ ଦରମା ୩୨ ହଜାରରୁ ୫୦ ହଜାର ଟଙ୍କା ଏବଂ ମାଷ୍ଟର ମାନଙ୍କ ପାରିଶ୍ରମିକ ମାସିକ ୪୦ ହଜାରରୁ ୫୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।